ବିଦେଶୀ କମ୍ପାନି ସହ ଆଦାନୀ ଗ୍ରୁପର ଡିଲ୍ ଉପରେ ସେବି କରୁଛି ତଦନ୍ତ, ବଢିପାରେ ଅଡୁଆ

Published By : Prameya-News7 Bureau | April 01, 2023 IST

ନୂଆଦିଲ୍ଲୀ: ବଜାର ନିୟାମକ ସେବି (SEBI) ଅତି କମରେ ତିନି ବିଦେଶୀ କମ୍ପାନି ସହ ଆଦାନୀ ଗ୍ରୁପର ନେଣଦେଣରେ ‘ସମ୍ପର୍କୀୟ ପାର୍ଟି’ ଟ୍ରାଞ୍ଜେକସନ ସହ ଜଡିତ ନିୟମରେ ତଥାକଥିତ ଉଲ୍ଲଂଘନର ତଦନ୍ତ କରୁଛି । ଏହି ତିନି ବିଦେଶୀ କମ୍ପାନିଙ୍କୁ ଆଦାନୀ ଗ୍ରୁପର ପ୍ରତିଷ୍ଠାତା ଗୌତମ ଆଦାନୀଙ୍କ ଭାଇ ବିନୋଦ ଆଦାନୀ ସହ ଯୋଡ଼ି ଦେଖାଯାଉଛି । ମିଡିଆ ରିପୋର୍ଟରେ ଶନିବାର ଏହି ସୂଚନା ଦିଆଯାଇଛି । ରିପୋର୍ଟରେ ଦାବି କରାଯାଇଛି ଯେ ଏହି ତିନି ସଂସ୍ଥା ଗତ ୧୩ ବର୍ଷରେ ଆଦାନୀ ଗ୍ରୁପର ଅନେକ ଅଣ-ସୂଚୀବଦ୍ଧ କମ୍ପାନିରେ କଥିତ ରୂପେ ନିବେଶ ଟ୍ରାଞ୍ଜେକ୍ସନ କରିଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ ଗୌତମ ଆଦାନୀଙ୍କ ଭାଇ ବିନୋଦ ଆଦାନୀ ଏହି କମ୍ପାନିଗୁଡିକରେ ଲାଭାର୍ଥୀ, ନିର୍ଦ୍ଦେଶକ କିମ୍ୱା ଏହି ତିନି କମ୍ପାନି ସହ ଜଡ଼ିତ ଅଛନ୍ତି । ଏହା ଲୁଚାଇ 'ରିଲେଟେଡ୍ ପାର୍ଟି ଟ୍ରାଞ୍ଜେକ୍ସନ' ସହ ଜଡିତ ନିୟମର ଉଲ୍ଲଂଘନ ହୋଇଛି କି ନାହିଁ ସେବି ତା'ର ଯାଞ୍ଚ କରୁଛି ।

ନିୟମ ଅନୁସାରେ, ପ୍ରତ୍ୟକ୍ଷ ସମ୍ପର୍କୀୟ, ପ୍ରମୋଟର ଗ୍ରୁପ ଏବଂ ସୂଚୀବଦ୍ଧ କମ୍ପାନିଗୁଡିକର ସହାୟକ କମ୍ପାନିକୁ ସମ୍ପର୍କୀୟ ପକ୍ଷ ଧରାଯାଇଥାଏ । ଗୋଟିଏ ପ୍ରମୋଟର ଗ୍ରୁପକୁ ଏପରି ସଂସ୍ଥା ଭାବେ ପରିଭାଷିତ କରାଯାଇଛି, ଯାହାର ସୂଚୀବଦ୍ଧ କମ୍ପାନିରେ ବଡ଼ ଭାଗିଦାରୀ ରହିଥାଏ ଏବଂ ସେ କମ୍ପାନିର ନୀତିକୁ ପ୍ରଭାବିତ କରିବାର ଶକ୍ତି ରଖିଥାନ୍ତି ।

ଏପରି ସଂସ୍ଥାଗୁଡିକ ମଧ୍ୟରେ କୌଣସି ପ୍ରକାର ନେଣଦେଣକୁ ରେଗୁଲେଟର ଏବଂ ସାର୍ବଜାନୀନ କରିବା ବାଧ୍ୟତାମୂଳକ ହୋଇଥାଏ । ଏହାସହ ଏକ ଧାର୍ଯ୍ୟସୀମାଠାରୁ ଅଧିକ ନିବେଶ ପାଇଁ ସେୟାରଧାରକଙ୍କ ମଞ୍ଜୁରୀ ଜରୁରୀ ହୋଇଥାଏ । ଏହି ନିୟମର ଉଲ୍ଲଂଘନରେ ସାଧାରଣତଃ ଆର୍ଥିକ ଜରିମାନା ଲାଗୁ ହୋଇଥାଏ ।

କମିକଣ୍ଟ୍ରୋଲର ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପର ଜଣେ ମୁଖପାତ୍ର କହିଛନ୍ତି ଯେ ବିନୋଦ ଆଦାନୀ, ଆଦାନୀ ପରିବାର ସଦସ୍ୟ ଅଟନ୍ତି ଏବଂ ସେ ପ୍ରମୋଟର ଗ୍ରୁପର ଅଂଶ ଅଟନ୍ତି । ତେବେ ସେ ଗ୍ରୁପର କୌଣସି ସୂଚୀବଦ୍ଧ କମ୍ପାନି କିମ୍ୱା ଏହାର ଅନ୍ୟ କମ୍ପାନିର କୌଣସି ପରିଚାଳନା ପଦ ରଖି ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.