୧୯ ଜଣଙ୍କ ଉପରେ ସେବିର ଛାଟ, ସେୟାର କିଣାବିକାରେ କାର୍‌ସାଦି କରିବାରୁ ୯୫ ଲକ୍ଷ ଫାଇନ୍‌

Published By : Prameya-News7 Bureau | September 27, 2022 IST

ମୁମ୍ୱାଇ, ୨୭/୦୯: ସେୟାର କିଣାବିକାରେ କାର୍‌ସାଦି କରି ଧରାପଡ଼ିଲେ ୧୯ ନିବେଶକ ।  ସେୟାର ମାର୍କେଟ୍‌ ନିୟାମକ ସେବି ଏହି ନିବେଶକ ମାନଙ୍କ ଉପରେ ୯୫ ଲକ୍ଷ ଟଙ୍କାର ଫାଇନ୍‌ ଲଗାଇଛି । ୪୫ ଦିନ ଭିତରେ ଏହି ଫାଇନ୍‌ ଦାଖଲ କରିବାକୁ ମଧ୍ୟ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେବି ।

ମିଳିଥିବା ସୂଚନା ଅନୁସାରେ ଠକିବା ଏବଂ ଅନ୍ୟାୟ ଉପାୟରେ ବାଣିଜ୍ୟକି ଅଭ୍ୟାସ ଉପରେ ପ୍ରତିବନ୍ଧକ ନିୟମ ବା Prohibition of Fraudulent and Unfair Trade Practicesର ନିୟମ ଉଲଂଘନରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଡିସେମ୍ୱର ୨୦୧୭ରୁ ଫେବୃଆରୀ ୨୦୧୮ ପର୍ଯ୍ୟନ୍ତ ଗ୍ଲୋବାଲ୍‌ ଇନ୍‌ଫୋଟେକ୍‌ ଆଣ୍ଡ୍‌ ଫାଇନାନ୍ସ ଲିମିଟେଡ୍‌ର ସେୟାର କିଣାବିକାରେ କିଛି ନିବେଶକ ନିୟମ ଉଲଂଘନ କରିଥିବା ସୂଚନା ପାଇଥିଲା ସେବି । ଏନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା ।

ତଦନ୍ତରେ ୧୯ ଜଣ ୟୁନିଫର୍ମ ଷ୍ଟ୍ରାଟେଜି କୌଶଳ ପ୍ରୟୋଗ କରି ୩,୨୬୬ ସେୟାର କିଣିଥିଲେ । ଅସତ୍‌ ଉପାୟରେ କମ୍ପାନୀର ୧୨.୮୭ ପ୍ରତିଶତ ସେୟାର କିଣିଥିଲେ । ଏହା ସେବିର ନିୟମ ଉଲଂଘନ । ତେଣୁ ଜଣକା ୫ ଲକ୍ଷ ଲେଖାଏଁ ଫାଇନ୍‌ ଲଗାଇଛି ସେବି । ସେମାନଙ୍କ ମଧ୍ୟରେ ହରିଶକୁମାର କଣ୍ଟିଲାଲ ପଟେଲ, ବିଶାଲକୁମାର କୃଷ୍ଣକାନ୍ତ ବୋରିଶା, ପାରଦୀ ଧୀରଭାଇ ଖାନଭାଇ, ଭବନ ନାଥୱାର୍ଲ ପଞ୍ଚଲ, ଅଙ୍କିତ ଜଗଦୀଶଭାଇ ପିଥାଭା, କେଟନ ପ୍ରବୀଣଭାଇ ପଞ୍ଚଲ, ପ୍ରବୀଣ କୁମାର ଏବଂ ରମେଶଚନ୍ଦ୍ର ଚିତୁଭାଇ ପଟେଲ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.