ନୂଆଦିଲ୍ଲୀ : ହିଣ୍ଡନବର୍ଗ ଭୂତ ପୁଣି ଥରେ ବାହାରକୁ ଆସିଛି। ଏଥର ହିଣ୍ଡନବର୍ଗ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ମୁଖ୍ୟ ଓ ତାଙ୍କ ସ୍ୱାମୀଙ୍କୁ ଟାର୍ଗେଟ କରିଛି। ହିଣ୍ଡନବର୍ଗ ଅଭିଯୋଗ କରିଛି ସେବି ମୁଖ୍ୟ ଓ ତାଙ୍କ ପତି କଥିତ ଆଦାନୀ ଅନିୟମିତତାରେ ସାମିଲ ଅଛନ୍ତି। ହିଣ୍ଡନବର୍ଗ ହ୍ୱିସିଲବ୍ଲୋଅରଙ୍କ ସୂତ୍ରରୁ କହିଛି ଯେ ଯଦି ସେବି ଆଦାନୀର ଅଫସୋର କମ୍ପାନୀମାନଙ୍କ ଯାଞ୍ଚ କରିଥାନ୍ତା ତେବେ ବୁଚ୍ ଦମ୍ପତ୍ତି ଫଶିଥାନ୍ତେ। ତେବେ ଖାସ କଥା ଯାହା ତାହା ହେଉଛି ଏଥର ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ଙ୍କ ସହ ତାଙ୍କ ସ୍ୱାମୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି।
ମାଧବୀ ପୁରୀ ବୁଚ୍ ଙ୍କୁ ତ ସମସ୍ତେ ଜାଣନ୍ତି, ତେବେ ପ୍ରଥମ ଥର ଚର୍ଚାକୁ ଆସିଥିବା ସେବି ମୁଖ୍ୟଙ୍କ ସ୍ୱାମୀ ଧବଲ ବୁଚ୍ କିଏ? ଆସନ୍ତୁ ଆପଣ ବି ଜାଣନ୍ତୁ ତାଙ୍କ ସମ୍ପର୍କରେ। ତେବେ ତା ପୂର୍ବରୁ ବୁଝନ୍ତୁ ହିଣ୍ଡନବର୍ଗଙ୍କ ଅଭିଯୋଗକୁ ସେ ଦର୍ଶାଇବାକୁ ଚାହିଁଛି କ’ଣ?
ହିଣ୍ଡନବର୍ଗ ଶନିବାର ବିଳମ୍ବିତ ରାତ୍ରିରେ ଜାରି କରିଥିବା ନିଜ ରିପୋର୍ଟରେ କହିଛି ଯେ ସେବି ମୁଖ୍ୟ ବୁଚ୍ ଓ ତାଙ୍କ ସ୍ୱାମୀଙ୍କ ପାଖରେ ସେହି ବିଦେଶୀ ପାଣ୍ଠିର ଭାଗିଦାରୀ ରହିଛି ଯାହାର ବ୍ୟବହାର ଆଦାନୀ ଗ୍ରୁପରେ ଧନର କଥିତ ହେରାଫେରି ଲାଗି କରାଯାଇଥିଲା। ହିଣ୍ଡନବର୍ଗ ମୁତାବକ ବୁଚ୍ ଓ ତାଙ୍କ ପତି ବରମୁଡା ଓ ମରିସସର ଅସ୍ପଷ୍ଟ ବିଦେଶୀ କୋଷରେ ଅଘୋଷିତ ନିବେଶ କରିଥିଲେ। ହିଣ୍ଡନବର୍ଗ କହିଛି ଯେ ଏହା ସେହି କୋଷ ଯାହାକୁ କଥିତ ରୂପେ ବିନୋଦ ଆଦାନୀ ପଇସା ହେରଫେର କରିବା ଓ ଗ୍ରୁପର କମ୍ପାନୀମାନଙ୍କ ସେୟାର ମୂଲ୍ୟ ବଢାଇବା ଲାଗି ବ୍ୟବହାର କରୁଥିଲେ। ବିନୋଦ ଆଦାନୀ, ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ବଡ଼ ଭାଇ।
ହିଣ୍ଡନବର୍ଗ ଅନୁସାରେ ଏହି ସଂସ୍ଥାଗୁଡିକ କଥିତ ରୂପେ ବିନୋଦ ଆଦାନୀ ଦ୍ୱାରା ପଇସା ବାହାର କରିବା ପାଇଁ ବ୍ୟବହାର କରିଥିବା ନେଟୱାର୍କରେ ସାମିଲ ଥିଲେ। ଯେଉଁଥି ପାଇଁ ସେବିଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲାଗିଥିଲା। ହିଣ୍ଡନବର୍ଗ ଅନୁସାରେ କଥିତ ରୂପେ ଏହି ନିବେଶ ୨୦୧୫ ମସିହାରେ କରାଯାଇଥିଲା। ୨୦୧୭ରେ ସେବିର ଫୁଲଟାଇମ ମେମ୍ବର ରୂପେ ମାଧବୀ ପୁରୀ ବୁଚ୍ ଙ୍କ ନିଯୁକ୍ତି ଓ ମାର୍ଚ୍ଚ ୨୦୨୨ରେ ଏହାର ଚେୟାରପର୍ସନ ହେବାର ବେଶ୍ ପୂର୍ବରୁ ଏହି ନିବେଶ କରାଯାଇଥିଲା।
ଏହି ରିପୋର୍ଟ ଅନୁସାରେ ବରମୁଡାସ୍ଥିତ ଗ୍ଲୋବାଲ ଅପର୍ଚ୍ୟୁନିଟିଜ୍ ଫଣ୍ଡ ମଧ୍ୟ ଏହି ପାଣ୍ଠିରେ ନିବେଶକଙ୍କ ମଧ୍ୟରେ ଥିଲା। ଆଦାନୀ ଗ୍ରୁପ ସମ୍ପର୍କିତ ୟୁନିଟ ଦ୍ୱାରା ସମୂହର କମ୍ପାନୀମାନଙ୍କ ସେୟାରରେ କାରବାର ଲାଗି କଥିତ ରୂପେ ଗ୍ଲୋବାଲ ଅପର୍ଚ୍ୟୁନିଟିଜ୍ ଫଣ୍ଡର ବ୍ୟବହାର କରାଯାଇଥିଲା। ରିପୋର୍ଟ ଅନୁସାରେ ଏକ ହ୍ୱିସିଲବ୍ଲୋଅରଙ୍କ ଠାରୁ ପ୍ରାପ୍ତ ଡକ୍ୟୁମେଣ୍ଟରୁ ଜଣା ପଡୁଛି ଯେ ୨୨ ମାର୍ଚ୍ଚ ୨୦୧୭ରେ ମାଧବୀ ପୁରୀ ବୁଚଙ୍କୁ ସେବି ଚେୟାରପର୍ସନ ନିଯୁକ୍ତି କରାଯିବାର କିଛି ସପ୍ତାହ ପୂର୍ବରୁ ଧବଲ ବୁଚ୍ ମରିସସ ଫଣ୍ଡ ପ୍ରଶାସକ ଟ୍ରାଇଡେଣ୍ଟ ଟ୍ରଷ୍ଟକୁ ଏକ ଇ-ମେଲ ଲେଖିଥିଲେ। ଏହି ଇ-ମେଲ ଗ୍ଲୋବାଲ ଡାୟନାମିକ ଅପର୍ଚ୍ୟୁନିଟିଜ ଫଣ୍ଡ (ଜିଡିଓଏଫ) ତାଙ୍କର ଓ ତାଙ୍କ ପତ୍ନୀଙ୍କ ନିବେଶ ସମ୍ପର୍କିତ ଥିଲା।
ଧବଲ ବୁଚ୍ କିଏ?
ଧବଲ ବୁଚ୍ ଏବେ ବ୍ଲାକଷ୍ଟୋନ ଓ ଅଲଭର୍ଜ ଆଣ୍ଡ ମାର୍ସଲରେ ଜଣେ ସିନିୟର ଆଡଭାଇଜର ଅଛନ୍ତି ଓ ଗିଲ୍ଡନ ବୋର୍ଡରେ ଜଣେ ନନ ଏକଜ୍ୟୁକୁଟିଭ ଡାଇରେକ୍ଟର ରୂପେ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେ ଆଇଆଇଟି ଦିଲ୍ଲୀର ଜଣେ ପୂର୍ବତନ ଛାତ୍ର। ଏଠାରୁ ସେ ୧୯୮୪ ମସିହାରେ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ। ପ୍ରଥମେ ସେ ୟୁନିଲିଭରରେ ଏକଜ୍ୟୁକୁଟିଭ ଡାଇରେକ୍ଟର ରୂପେ କାର୍ଯ୍ୟ କରିଥିଲେ ପରେ ସଂସ୍ଥାର ଚିଫ୍ ପ୍ରୋକ୍ୟୋରମେଣ୍ଟ ଅଫିସର ହୋଇଥିଲେ। ତାଙ୍କ ‘ଲିଙ୍କଡଇନ’ ପ୍ରୋଫାଇଲରୁ ପ୍ରୋକ୍ୟୋରମେଣ୍ଟ ଓ ସପ୍ଲାଇ ଚେନର ସେ ଅଭିଜ୍ଞ ବୋଲି କୁହାଯାଇଛି।
ହିଣ୍ଡନବର୍ଗ ରିପୋର୍ଟର ଅଭିଯୋଗ କ’ଣ?
ହିଣ୍ଡନବର୍ଗ ଦ୍ୱାରା ଉଦ୍ଧୃତ ହ୍ୱିସିଲବ୍ଲୋଅର ଡକ୍ୟୁମେଣ୍ଟ ଅନୁସାରେ ଧବଲ ବୁଚଙ୍କ ମୋଟ ସମ୍ପତ୍ତି ୧୦ ମିଲିୟନ ଡଲାର। କାଗଜପତ୍ରରୁ ଜଣାପଡେଯେ ଯେବେ ବିନୋଦ ଆଦାନୀ କମ୍ପାନୀରେ କଥିତ ନିବେଶ ହୋଇଥିଲା ସେତେବେଳେ ବୁଚ୍ ୟୁନିଲିଭରରେ କାମ କରୁଥିଲେ। ଏହାଛଡା ହିଣ୍ଡନବର୍ଗ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ବ୍ଲାକଷ୍ଟୋନରେ ସିନିୟର ଆଡଭାଇଜର ରୂପେ ଧବଲ ବୁଚଙ୍କ କାର୍ଯ୍ୟକାଳରେ କମ୍ପାନୀ ମାଇଣ୍ଡ ସ୍ପେସ୍ ଓ ନେକ୍ସସ ସେଲେକ୍ଟ ଟ୍ରଷ୍ଟକୁ ସ୍ପୋନସର କରିଥିଲା, ଯିଏ ଆଇପିଓ ଲାଗି ସେବିଙ୍କ ମଞ୍ଜୁରୀ ପ୍ରାପ୍ତ କରିଥିବା ଭାରତର ଦ୍ୱିତୀୟ ଓ ଚତୁର୍ଥ ରିୟଲଇଷ୍ଟେଟ ଇନଭେଷ୍ଟମେଣ୍ଟ ଟ୍ରଷ୍ଟ ଥିଲା।
ଅଭିଯୋଗକୁ ଭିତ୍ତିହୀନ କହିଲେ ବୁଚ୍ ଦମ୍ପତ୍ତି
ତେବେ ସେବି ମୁଖ୍ୟ ଓ ତାଙ୍କ ସ୍ୱାମୀ ରବିବାର ଏକ ମିଳିତ ବୟାନ ଜାରି କରି ହିଣ୍ଡନବର୍ଗ ଅଭିଯୋଗଗୁଡିକୁ ଖାରଜ କରିଦେଇଥିବା ବେଳେ ଭିତ୍ତିହୀନ ବୋଲି କହିଛନ୍ତି। ସେମାନେ କହିଛନ୍ତି ଯେ ରିପୋର୍ଟରେ କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ନିରାଧାର ଓ ଭିତ୍ତିହୀନ। ଏଥିରେ ସାମାନ୍ୟତମ ସତ୍ୟତା ମଧ୍ୟ ନାହିଁ। ଆମ ଜୀବନ ଓ ଆର୍ଥିକ ସ୍ଥିତି ଏକ ଖୋଲା ବହି ଭଳି। ସବୁ ଆବଶ୍ୟକ ସୂଚନା ପ୍ରଥମ ବର୍ଷ ସେବିଙ୍କୁ ଦେଇ ଦିଆଯାଇଛି। ଆମକୁ କୌଣସି ଆର୍ଥିକ କାଗଜାତର ବିବରଣୀ ଦେବାରେ ସାମାନ୍ୟତମ କୁଣ୍ଠା ମଧ୍ୟ ନାହିଁ। ହିଣ୍ଡନବର୍ଗ ବିରୋଧରେ ସେବି ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ କରିଛି ଓ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଦେଇଛି। ଏହାର ଜବାବରେ ହିଣ୍ଡନବର୍ଗ ଆମକୁ ହିଁ ଘେରିବାକୁ ଚେଷ୍ଟା କରିବା ସହ ଚରିତ୍ର ହନନ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।