SEBIରେ କାର୍ଭି ଷ୍ଟକ୍ ବ୍ରୋକିଙ୍ଗର ରେଜିଷ୍ଟ୍ରେସନ ରଦ୍ଦ
31/05/2023 at 7:34 PM

ମୁମ୍ବାଇ ୩୧।୫: ମାର୍କେଟ ନିୟାମକ ବିନିମୟ ଓ ପ୍ରତିଭୂତି ବୋର୍ଡ (ସେବି) ବୁଧବାର କାର୍ଭି ଷ୍ଟକ୍ ବ୍ରୋକିଙ୍ଗ ଫାର୍ମର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ କ୍ୟାନସଲ କରିଦେଇଛନ୍ତି। ଏହା ପୂର୍ବରୁ ଗତ ୨୮ ଏପ୍ରିଲରେ ସେବି ୭ ବର୍ଷ ପର୍ଯ୍ୟନ୍ତ କାର୍ଭି ପ୍ରମୋଟରଙ୍କ ବଜାର ପ୍ରବେଶ ଉପରେ କଟକଣା ଲଗାଇଥିଲେ। କମ୍ପାନୀରେ ଅନେକ ଅନିୟମିତତା ଥିଲା ଏଣୁ ସେବିଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିଛି। ପୂର୍ବରୁ ସେବି ଡିସେମ୍ବର ୩୧ ତାରିଖ ଦିନ ମାମଲାରେ ଏକ ଆଦେଶ ଜାରି କରିଥିଲେ।

କାର୍ଭି ବ୍ରୋକିଙ୍ଗ ଫାର୍ମ ଗ୍ରାହକଙ୍କୁ ଧୋକା ଦେଇ ସେମାନଙ୍କ ସେୟାର ବନ୍ଧକ ରଖି ପାଣ୍ଠି ସଂଗ୍ରହ କରୁଥିଲେ। ଏଥିରେ ସେବି ଏହି ମାମଲାର ମଧ୍ୟ ଯାଞ୍ଚ କରୁଥିଲେ ଯେ କାର୍ଭି ନିୟମର ଯେଉଁ ଉଲ୍ଲଂଘନ କରିଛି ସେଥି ପାଇଁ ତାଙ୍କ ରେଜିଷ୍ଟ୍ରେସେନ ସାର୍ଟିଫିକେଟ୍ ରଦ୍ଦ ଅଥବା ଖାରଜ କରାଯାଇ ପାରିବ କି ନାହିଁ। କାର୍ଭି ନିଜର ସମସ୍ତ ଦାୟିତ୍ୱ ନିର୍ବାହ କରିବେ ଓ ଏଥିରେ କୌଣସି ପ୍ରକାରର ବକେୟା ଜିମ୍ମା କାର୍ଭି ଷ୍ଟକ୍ ବ୍ରୋକିଙ୍ଗ ଲିମିଟେଡଙ୍କର ହେବ।

ସେବି ମେ ୩୧ ତାରିଖ ଦିନ ଜାରି ଆଦେଶରେ କହିଛନ୍ତି ଯେ ରେଜିଷ୍ଟ୍ରେସନ ସାର୍ଟିଫିକେଟ ରଦ୍ଦ ହେବା ସତ୍ତ୍ୱେ ବ୍ରୋକରେଜ ଫାର୍ମ ମଝିରେ ଛାଡିଯାଇଥିବା କୌଣସି କାମ ଲାଗି ଦାୟି ରହିବେ। ଏହା ଛଡା ସେବିଙ୍କ ଯାହା ବି ବକେୟା ଥିବ ତାକୁ ମଧ୍ୟ ପୈଠ କରିବେ। ଏହି ଆଦେଶ ତତ୍କାଳ ପ୍ରଭାବରୁ ଲାଗୁ ହୋଇଥିବା ସେବି କହିଛନ୍ତି। ଏଥି ଲାଗି ୨୭ ମେ ୨୦୨୨ରେ କାର୍ଭିକୁ ସେବି ନୋଟିସ୍ ମଧ୍ୟ ପଠାଇଥିଲେ।