୨୪ରେ ସାମୁଦ୍ରିକ ଝଡ଼ର ରୂପ ନେବ ଅବପାତ, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ଅଧିକ ପ୍ରଭାବ

Published By : Prameya-News7 Bureau | October 22, 2022 IST

ଭୁବନେଶ୍ୱର, ୨୨/୧୦: ସାମ୍ଭାବ୍ୟ ବାତ୍ୟା ନେଇ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଣ୍ଡାମାନ ନିକଟବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଂଚଳରେ ଏହି  ଅବପାତ ସୃଷ୍ଟି ହୋଇଛି। ଏହାସହ ଜଡିତ ଘୂର୍ଣ୍ଣିବଳୟ ବି ବାୟୁମଣ୍ଡଳରେ ସକ୍ରିୟ ହୋଇରହୁଛି । ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ପରେ ଉତ୍ତର ଦିଗରେ ଗତି କରି ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ। ୨୪ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡର ରୂପ ନେବା ସହ ସମ୍ଭାବ୍ୟ ବାତ୍ୟା ୨୫ ତାରିଖ ସକାଳ ସମୟରେ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହା ଧାମରା ଓ ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ  ଅତିକ୍ରମ କରିବାର ଆକଳନ ପାଣିପାଗ ବିଭାଗ କରିଥିବା ବେଳେ ଓଡ଼ିଶାରେ ଏହାର ପ୍ରଭାବ ସେତେ ବେଶି ନଥିବା କୁହାଯାଇଛି । ଏହାର ତୀବ୍ରତା କେତେ ରହିବ ତାହା ୨୩ ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ବିଭାଗ କହିଥିବା ବେଳେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଯୋଗୁ  ବାହ୍ୟ ମେଘ ଖଣ୍ଡ ଦ୍ୱାରା ରାଜ୍ୟର ଗୋଟେ  କିମ୍ବା ଦୁଇଟି ସ୍ଥାନରେ ହାଲକା ଓ ମାଧ୍ୟମ ଧରଣର  ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଲଗାଣ ବର୍ଷାର ସମ୍ଭାବନା ନାହିଁ ।

ବିଶେଷ ଭାବେ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ଜଗତସିଂହପୁର, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର ଜିଲ୍ଲାରେ ବର୍ଷା ସହ ୪୫ ରୁ ୫୦ କିମି ବେଗରେ ପବନ ହେବ । ଅନ୍ୟପଟେ ସମୁଦ୍ରରେ ବାତ୍ୟାର ପ୍ରଭାବ ଯୋଗୁ ପବନର ବେଗ ରହିବାର ସମ୍ଭାବନା ଥିବାରୁ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ବାତ୍ୟା ଗତିପଥ ବଦଳାଇ ଥିବାରୁ ଓଡିଶା ନୁହେଁ ବରଂ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ଏହାର ଅଧିକ ପ୍ରଭାବ ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ବାତ୍ୟା ଓଡ଼ିଶାରେ ଘଷି ହୋଇ ଗଲେବି ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜ ଉପରେ ଅଧିକ ବର୍ଷାର ପ୍ରଭାବ ରହିବ ବୋଲି ଆକଳନ କରିଛନ୍ତି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦେଶକ ଶରତ ଚନ୍ଦ୍ର ସାହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.