ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀଙ୍କୁ ଏସ୍‌ପି ମାରିଲେ ଚାପୁଡା, ଆଉ ଜଣେ ସୁରକ୍ଷାକର୍ମୀ ଏସ୍‌ପିଙ୍କୁ ମାରିଲେ ଗୋଇଠା, ଭିଡିଓ ଭାଇରାଲ

Published By : Prameya-News7 Bureau | June 23, 2021 IST

କୁଲ୍ଲୁ ୨୩।୦୬: ହିମାଚଳ ପ୍ରଦେଶରୁ ଏକ ବିଚିତ୍ର ଏବଂ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭୁନ୍ତର ବିମାନ ବନ୍ଦରରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସ୍ଵାଗତ ପାଇଁ ଭୁନ୍ତର ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ଅଧିକାରୀ ଓ କୁଲ୍ଲୁ ଏସପିଙ୍କ ମଧ୍ୟରେ ଯୁକ୍ତିତର୍କ ସହ ହାତାହାତି ହେବାର ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ଅଚାନକ ହୋଇଥିବା ଏହି ଝଗଡାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ସୁରକ୍ଷାକର୍ମୀ ଏସପିଙ୍କୁ ଠେଲାପେଲା କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଉଭୟଙ୍କ ମଧ୍ୟରେ ଝଗଡା କେଉଁ କାରଣରୁ ନେଇ ହୋଇଛି ତାହା ଜଣାପଡି ନାହିଁ।

ସୂଚନା ଅନୁଯାୟୀ, କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ମନାଲି ଗସ୍ତରେ ଥିଲେ। ତାଙ୍କ ସ୍ଵାଗତ ପାଇଁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଭୁନ୍ତର ବିମାନ ବନ୍ଦର ପହଞ୍ଚିଥିଲେ। ଘଟଣା  ବିମାନ ବନ୍ଦର ବାହାରେ ସେହି ସମୟରେ ଘଟିଥିଲା, ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ଥିବା  ଅତିରିକ୍ତ ଏସପି ବୃଜେଶ ସୁଦ ଫୋରଲେନ ପ୍ରଭାବିତଙ୍କୁ ବିମାନ ବନ୍ଦର ବାହାରେ ହଟାଇବା ନେଇ କୁଲ୍ଲୁ ଏପସି ଗୌରବ ସିଂହଙ୍କ ସହ ଯୁକ୍ତିତର୍କ କରିଥିଲେ।

କୁହାଯାଉଛି, ଏହି ସମୟରେ କୁଲ୍ଲୁର ଏସପି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଥିବା ଏସଏସପି ରାଙ୍କର ଅଧିକାରୀଙ୍କୁ ଚାପୁଡା ମାରିଥିଲେ। ସୁରକ୍ଷା ବ୍ୟବସ୍ଥାକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ  ହୋଇଥିଲା। ମାମଲା ଏତେ ଆଗକୁ ବଢି ଯାଇଥିଲା ଯେ, ଏସପି କୁଲ୍ଲୁ ଏସଏସପିଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଥିଲେ। ଏହାପରେ ଏସଏସପି ମଧ୍ୟ ଗୋଇଠା ମାରିଥିଲେ। କେହି କିଛି ବୁଝିବା ଆଗରୁ ତୁରନ୍ତ ଅନ୍ୟ ସୁରକ୍ଷାକର୍ମୀ ଘଟଣାସ୍ଥଳକୁ ଆସି ସ୍ଥିତି ନିୟନ୍ତ୍ରଣ କରିଥିଲେ। ସାମାଜିକ ଗଣମାଧ୍ୟମରେ ଘଟଣାର ଭିଡିଓ ଭାଇରାଲ୍ ହୋଇଛି। ସଂପ୍ରତି କୌଣସି ବଡ ଅଧିକାରୀ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଏହି ମାମଲାର ଯାଞ୍ଚ ପାଇଁ ଡିଆଇଜି ସେଣ୍ଟ୍ରାଲ ରେଞ୍ଜ ମଣ୍ଡି ମଧୁସୂଦନଙ୍କୁ ଦେଇଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.