JNU ଓ ଜାମିଆ ପରେ ପଞ୍ଜାବ ୟୁନିଭର୍ସିଟିରେ ଅଧାରୁ ବନ୍ଦ ହେଲା ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ
25/01/2023 at 7:26 PM

ନୂଆଦିଲ୍ଲୀ: ବିବିସି ଡକ୍ୟୁମେଣ୍ଟାରୀ ବ୍ୟାନ୍ କରାଯିବା ପରେ ଦେଶର ବିଭିନ୍ନ ୟୁନିଭର୍ସିଟିରେ ଏହାକୁ ଦେଖାଇବାକୁ ନେଇ ଯୋଜନା ଚାଲିଛି। ପ୍ରଥମେ ଜେଏନ୍ୟୁ ପରେ ଜାମିଆ ମିଲିୟା ଇସ୍ଲାମିଆ ଓ ଏବେ ପଞ୍ଜାବ ୟୁନିଭର୍ସିଟି।
କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ଏକାଠି ହୋଇ ଡକ୍ୟୁମେଣ୍ଟାରୀ ଦେଖୁଥିବା ବେଳେ ଅଧାରୁ ବନ୍ଦ ହୋଇଗଲା ସ୍କ୍ରିନିଂ। ପଞ୍ଜାବ ୟୁନିଭର୍ସିଟିରେ ଭାରତୀୟ ଜାତୀୟ ଛାତ୍ର ସଂଘ ଓ କଂଗ୍ରେସ ଛାତ୍ର ମୋର୍ଚ୍ଚା ପକ୍ଷରୁ ଏହି ସିରିଜ୍ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଥିଲା। ଛାତ୍ରଛାତ୍ରୀମାନେ ଏକାଠି ହୋଇ ଏହି ବିବିସିର ଏହି ରିପୋର୍ଟକୁ ଦେଖୁଥିବା ବେଳେ ହଠାତ୍ ଏହାକୁ ବନ୍ଦ କରିଦିଆଯାଇଛି।
ଏହା ପୂର୍ବରୁ ଦିଲ୍ଲୀର ଜବାହର ଲାଲ୍ ୟୁନିଭର୍ସିଟିରେ ଭାରତୀୟ ଛାତ୍ର ସଂଘ ପକ୍ଷରୁ ବିବିସି ସିରିଜ୍ ଚଲାଇବାକୁ ଯୋଜନା କରାଯାଇଥିଲା। ହେଲେ କଲେଜ୍ ପ୍ରଶାସନ ଏପରି କରିବାକୁ ବାରଣ କରିବା ସହ କଥା ନମାଲିଲେ ଦଣ୍ଡିତ କରାଯିବ ବୋଲି କହିଥିଲେ। ତେବେ ଯୋଜନା ମୁତାବକ ଡକ୍ୟୁମେଣ୍ଟାରି ଚଲାଇବାକୁ ଯୋଜନା କରୁଥିବା ବେଳେ କ୍ୟାମ୍ପସରେ ବିଦ୍ୟୁତ୍ କାଟ ହୋଇଥିଲା। ଏହାପରେ ଛାତ୍ରଛାତ୍ରୀମାନେ ଅନ୍ଧାରରେ ଏକାଠି ହୋଇ ନିଜ ନିଜ ମୋବାଇଲ୍ ଓ ଲ୍ୟାପ୍ଟପ୍ରେ ଡକ୍ୟୁମେଣ୍ଟାରି ଦେଖିଥିଲେ। ପରେ ଯାହାକୁ ନେଇ କଲେଜ୍ କ୍ୟାମ୍ପସରେ ହିଂସା ସୃଷ୍ଟି ହୋଇଥିଲା।
ସେହିପରି ଜାମିଆରେ ମଧ୍ୟ ବାରଣ ସତ୍ତ୍ୱେ ଛାତ୍ରଛାତ୍ରୀମାନେ ଏହି ଡକ୍ୟୁମେଣ୍ଟାରିକୁ ଦେଖିଥିଲେ। ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ପୁଲିସ। ୟୁନିଭର୍ସିଟିରେ ଆଶାନ୍ତି ପାଇଁ ଭାଇସ୍ ଚାନ୍ସେଲର ନଜମା ଅଖତର ଏସ୍ଏଫ୍ଆଇକୁ ଦାବି କରିଛନ୍ତି।