ସ୍କଟଲ୍ୟାଣ୍ଡରେ ୧୬ ବର୍ଷ ବୟସରେ କରିପାରିବେ ଲିଙ୍ଗ ପରିବର୍ତ୍ତନ, ସଂସଦରୁ ମିଳିଲା ମଞ୍ଜୁରୀ, ଚିନ୍ତାରେ ୟୁକେ

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଲୀ: ସ୍କଟଲ୍ୟାଣ୍ଡରେ ୧୮ ବର୍ଷ ପରିବର୍ତ୍ତେ ୧୬ ବର୍ଷରେ ଲିଙ୍ଗ ପରିବର୍ତ୍ତନ କରାଇବା ପାଇଁ ଅନୁମତି ସମ୍ପର୍କିତ ଏକ ପ୍ରସ୍ତାବକୁ ସଂସଦରେ ମଞ୍ଜୁରୀ ମିଳିଛି । ଏହାସହ ବ୍ରିଟିଶ ସରକାର ସହ ସ୍କଟଲ୍ୟାଣ୍ଡ ମଧ୍ୟରେ ନୂଆ ବିବାଦ ଆରମ୍ଭ ହୋଇଛି । ବ୍ରିଟିଶ ସରକାର ଏହି ବିବାଦୀୟ ଆଇନ ଉପରେ ପ୍ରତିବନ୍ଧକ ଲାଗୁ କରିବା ପାଇଁ ଅନ୍ୟ ବିକଳ୍ପ ଉପରେ ବିଚାର କରୁଛି ।

ସ୍କଟଲ୍ୟାଣ୍ଡ ସରକାର ଲିଙ୍ଗ ପରିବର୍ତ୍ତନର ଆଇନ ସମ୍ମତ ବୟସକୁ କମ କରିବା ପାଇଁ ସଂସଦରୁ ମଞ୍ଜୁରୀ ନେଇଛି । ସ୍କଟିସ ସଂସଦ ଗୁରୁବାର ସଂଧ୍ୟାରେ ଲିଙ୍ଗ ନିରୁପଣ ସୁଧାର ବିଧେୟକ (Gender Recognition Reform Scotland Bill)କୁ ପାରିତ କରିଛି। ଏହା ସପକ୍ଷରେ ୮୬ ଭୋଟ ପଡିଥିଲା, ଅନ୍ୟପଟେ ଏହା ବିରୋଧରେ ୩୯ ଭୋଟ ପଡିଥିଲା । ବିବାଦୀୟ ବିଧେୟକକୁ ସଂସଦର ମଞ୍ଜୁରୀ ମିଳିଥିଲେ ମଧ୍ୟ କ୍ଷମତାରେ ଥିବା ସ୍କଟିସ ନ୍ୟାସନାଲ ପାର୍ଟି ମଧ୍ୟରେ ମତଭେଦ ରହିଛି ।

ସ୍କଟଲ୍ୟାଣ୍ଡର ଲିଙ୍ଗ ପରିବର୍ତ୍ତନ ବିଧେୟକ ଅନୁସାରେ ଲିଙ୍ଗ ପରିବର୍ତ୍ତନ ପୂର୍ବରୁ ଜେଣ୍ଡର ଡିସ୍ଫୋରିଆର ଚିକିତ୍ସା କରାଇବାକୁ ପଡିବ ନାହିଁ । ଜେଣ୍ଡର ଡିସ୍ଫୋରିଆରୁ ହିଁ ବ୍ୟକ୍ତିଙ୍କ ଜେଣ୍ଡର ତାଙ୍କ ଲିଙ୍ଗଗତ ପରିଚୟ ମେଳ ଖାଉ ନଥିବା ଅନୁଭବ ହୋଇଥାଏ । ସ୍କଟଲ୍ୟାଣ୍ଡର ଲୋକଙ୍କୁ ୨୦୦୫ ମସିହାରୁ ପୁରୁଷରୁ ମହିଳା ଏବଂ ମହିଳାରୁ ପୁରୁଷ ଭାବେ ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ରହିଛି । ନୂଆ ବିଧେୟକରେ କିନ୍ନର ମଧ୍ୟ ଜେଣ୍ଡର ଆଇଡେଣ୍ଟିଫିକେସନ ସାର୍ଟିଫିକେଟ୍ ସହଜରେ ପାଇ ପାରିବେ ।

ବ୍ରିଟିଶ ସରକାର ସ୍କଟଲ୍ୟାଣ୍ଡର ଏହି ଆଇନକୁ ନେଇ ଚିନ୍ତିତ ଅଛି । ଏହି ବିଧେୟକକୁ ବ୍ରିଟିଶ ସମ୍ରାଟଙ୍କ ସ୍ୱୀକୃତି (ରୟାଲ ଏସେଣ୍ଟ) ଅଟକାଇ ପାରିବ । ଏପରି ସ୍ଥିତିରେ ଏହା ଆଇନର ରୂପ ନେଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ସ୍କଟଲ୍ୟାଣ୍ଡ, ୟୁନାଇଟେଡ୍ କିଙ୍ଗଡମର ଏକ ରାଜ୍ୟ ଅଟେ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.