ନୂଆ କରୋନା ଭାଇରସ୍ SARS-COV-2 ଚିହ୍ନଟ, ମଣିଷ ଦେହରେ ସୃଷ୍ଟି କରୁଛି ସଂକ୍ରମଣ
5/03/2020 at 4:03 PM

ନୂଆଦିଲ୍ଲୀ ୫।୩: ନୂଆ କରୋନା ଭାଇରସ୍ ଚିହ୍ନଟ କରିଥିବା ଦାବି କରିଛି ଚୀନ୍ । ନୂଆ କରୋନା ଭାଇରସ୍ ହେଉଛି SARS-COV-2 । ପୂର୍ବରୁ COVID-19 ରହିଥିଲା । ଚୀନରେ କରୋନା ଭାଇରସ୍ ନେଇ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ କହିଛନ୍ତି ଯେ, ଅନୁଧ୍ୟାନରୁ ସେମାନେ ଜାଣିବାକୁ ପାଇଛନ୍ତି ଯେ ଭାଇରସର ଦୁଇଟି ମୁଖ୍ୟ ଷ୍ଟ୍ରେନ୍ ମଣିଷ ମଧ୍ୟରେ ବୁଲୁଛି ଏବଂ ସଂକ୍ରମଣ ସୃଷ୍ଟି କରୁଛି ।
ୟୁନିଭରସିଟି ଅଫ୍ ଲାଇଫ୍ ସାଇନ୍ସ ଏବଂ ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସ ଅଧୀନରେ ଥିବା ସାଂଘାଇ ଇନଷ୍ଟିଚ୍ୟୁଟ୍ ଅଧିନରେ ଥିବା ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ସେମାନଙ୍କ ଅଧ୍ୟୟନ କେବଳ ସୀମିତ ସୀମାକୁ ଦେଖେ ଏବଂ ଉନ୍ନତ ହେବା ପାଇଁ ବୃହତ ଡାଟା ସେଟ୍ ର ଅନୁସନ୍ଧାନ ଆବଶ୍ୟକ ।
ପ୍ରାଥମିକ ଅଧ୍ୟୟନରୁ ଜଣାପଡିଛି ଯେ, ଉହାନରେ ସୃଷ୍ଟି ହୋଇଥିବା ଷ୍ଟ୍ରେନ୍ ନୂଆ କରୋନା ଭାଇରସ୍ ସହ ଜଡିତ । ନୂତନ କରୋନା ଭାଇରସ୍ ରେ ଷ୍ଟ୍ରେନ୍ ପ୍ରାୟ ୭୦ ପ୍ରତିଶତ ଆକ୍ରମଣାତ୍ମକ ହୋଇଥିବାବେଳେ ୩୦ ପ୍ରତିଶତ କମ୍ ଆକ୍ରମଣାତ୍ମକ ପ୍ରକାର ସହିତ ଜଡିତ ।
ସାରା ବିଶ୍ବରେ ଏବେ କରୋନା ଭାଇରସ ଆତଙ୍କ । ୭୬ଟି ଦେଶରେ କରୋନା ପହଞ୍ଚିସାରିଲାଣି । ଚୀନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ଟପିଥିବା ବେଳେ ଏବେବି ଆକ୍ରାନ୍ତଙ୍କ ସଂଖ୍ୟା ୮୦ହଜାର ଟପିଛି । ଏହାଛଡା ଅନ୍ୟ ଦେଶରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୨୧୪ ଛୁଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ଟପିଛି । ଚୀନରେ ଦୈନିକ ୧ହଜାରରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଏବେ ସୁଦ୍ଧା ୫୦ହଜାରୁର ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ।
ଇଟାଲୀରେ କରୋନା ତାର କାୟା ମେଲାଇସାରିଛି । ଏବେ ସୁଦ୍ଧା ଇଟାଲୀରେ ୧୦୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ହଜାରରୁ ଅଧିକ ଆକ୍ରାନ୍ତ ହେବା ପରେ ଆତଙ୍କ ଖେଳିଯାଇଛି । ସ୍ଥିତକୁ ଦେଖି ଇଟାଲୀରେ ସ୍କୁଲ ଏବଂ କଲେଜ ବନ୍ଦ କରି ଦିଆଯାଇଛି । ଚୀନ୍ ପରେ ଏବେ ଇଟାଲୀ, କୋରିଆ ଏବଂ ଇରାନ ସ୍ଥିତି ଉପରେ ନଜର ରହିଛି । ଦକ୍ଷିଣ କୋରିଆରେ ୩୨, ଇରାନରେ ୯୨ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ସେପଟେ ଆମେରିକାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ଟପିଛି । ଆମେରିକାର ବିଭିନ୍ନ ରାଜ୍ୟରେ ଜରୁରୀ ସ୍ଥିତି ଜାରି ହୋଇଛି ।