ସମୁଦ୍ର ତଳେ ଅଷ୍ଟମ ମହାଦ୍ୱୀପର ସନ୍ଧାନ କଲେ ବୈଜ୍ଞାନିକ, ୩୭୫ ବର୍ଷରୁ ଥିଲା ଉଭାନ
27/09/2023 at 5:39 PM

ନୂଆଦିଲ୍ଲୀ ୨୭।୯: ପାଖାପାଖି ୩୭୫ ବର୍ଷ ପରେ ଭୂ- ବୈଜ୍ଞାନିକମାନେ ଏପରି ଏକ ମହାଦ୍ୱୀପର ସନ୍ଧାନ କରିଛନ୍ତି ଯାହା ଦୁନିଆ ନଜରରେ ଏପର୍ଯ୍ୟନ୍ତ ଅଦୃଶ୍ୟ ଥିଲା। ଭୂ- ବୈଜ୍ଞାନିକ ଓ ଭୂମି କମ୍ପ ବୈଜ୍ଞାନିକଙ୍କ ଏକ ଟିମ୍ ଏହି ମହାଦ୍ୱୀପକୁ ସମୁଦ୍ରର ୨ କିଲୋମିଟର ତଳେ ଖୋଜିଛନ୍ତି। ଗବେଷକମାନେ ସମୁଦ୍ର ତଳେ ଖୋଜିଥିବା ଚଟ୍ଟାଣର ନମୁନାରୁ ପ୍ରାପ୍ତ ତଥ୍ୟକୁ ଉପଯୋଗ କରି ଏହି ମହାଦ୍ୱୀପର ସନ୍ଧାନ କରିଛନ୍ତି। ଖୋଜା ହୋଇଥିବା ନୂଆ ମହାଦ୍ୱୀପକୁ ବୈଜ୍ଞାନିକମାନେ ‘ଜେଲାଣ୍ଡିଆ’ ନାମକରଣ କରିଛନ୍ତି।
ଜେଲାଣ୍ଡିଆ ୧.୮୯ ନିୟୁତ ବର୍ଗମାଇଲ ଅର୍ଥାତ ୪.୯ନିୟୁତ ବର୍ଗ କିଲୋମିଟରର ଏକ ବିଶାଳ ମହାଦ୍ୱୀପ ଅଟେ। ଏହା ମାଡଗାସ୍କାରଠାରୁ ପାଖାପାଖି ୬ ଗୁଣା ବଡ଼। ବୈଜ୍ଞାନିକଙ୍କ ଟିମ୍ କହିଛନ୍ତି ଯେ ଏହି ମହାଦ୍ୱୀପକୁ ମିଶାଇ ବିଶ୍ୱରେ ଏବେ ମହାଦ୍ୱୀପ ସଂଖ୍ୟା ୮କୁ ପହଞ୍ଚିଛି। ବିଶ୍ୱର ନୂଆ ମହାଦ୍ୱୀପ ଜେଲାଣ୍ଡିଆର ୯୪ ପ୍ରତିଶତ ପାଣି ତଳେ ରହିଛି। ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ ଭଳି କିଛି ଦ୍ୱୀପ ରହିଛି। ରିପୋର୍ଟ ଅନୁସାରେ ନ୍ୟୁଜିଲ୍ୟାଣ୍ଡର କ୍ରାଉନ ରିସର୍ଚ୍ଚ ଇନିଷ୍ଟେଚ୍ୟୁଟ୍ ଜିଏନଏସ୍ ସାଇନ୍ସର ଭୂ ବୈଜ୍ଞାନିକ ଏଣ୍ଡି ଟୁଲୋଚ୍ କହିଛନ୍ତି ଯେ ବହୁତ ସ୍ପଷ୍ଟ ଚିଜକୁ ସ୍ପଷ୍ଟ କରିବା ପାଇଁ କେତେ ସମୟ ଲାଗେ ତାହା ଏହି ନୂଆ ମହାଦେଶ ଆବିଷ୍କାରର ଉଦାହରଣ ହୋଇପାରେ।

ବୈଜ୍ଞାନିକଙ୍କ ଅନୁସାରେ ଜେଲାଣ୍ଡିଆ ପାଖାପାଖି ୫୫୦ ନିୟୁତ ବର୍ଷ ପୂର୍ବେ ଗୋଣ୍ଡୱାନା ଭୂମିର ଅଂଶବିଶେଷ ଥିଲା। ତେବେ ଭୂଗର୍ଭିୟ ଗତିବିଦ୍ଧି ଯୋଗୁ ଏହା ପୃଥକ ହୋଇ ସମୁଦ୍ରରେ ମିଶି ଯାଇଛି। ତେବେ ଗବେଷକମାନେ ଏବେବି ଏହା ଗୋଣ୍ଡୱାନାରୁ କିପରି ପୃଥକ ହେଲା ତାର ଗବେଷଣା କରୁଛନ୍ତି। ଜେଲାଣ୍ଡିଆ ମହାଦ୍ୱୀପ ପ୍ରଥମ ଥର ୧୬୪୨ରେ ସାମ୍ନାକୁ ଆସିଥିଲା। ଡଚ୍ ବ୍ୟବସାୟୀ ତଥା ନାବିକ ଏବଲ ଟ୍ୟାସମ୍ୟାନ୍ ଗ୍ରେଟ୍ ସାଉଦର୍ଣ୍ଣ ମହାଦ୍ୱୀପ ସନ୍ଧାନରେ ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣ ଆଇଲ୍ୟାଣ୍ଡରେ ପହଞ୍ଚିଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ପାଖଆଖର ସୂଚନା ଦେଇଥିଲେ। ଏଥି ସହିତ ସେ ଜେଲାଣ୍ଡିଆ ସମ୍ପର୍କରେ ଜାଣିବାକୁ ପାଇଥିଲେ।
ସେବେଠାରୁ ବୈଜ୍ଞାନିକମାନେ ଏହି ମହାଦ୍ୱୀପକୁ ଖୋଜିବା ପାଇଁ ଏପର୍ଯ୍ୟନ୍ତ ୪୦୦ ବର୍ଷ ଲଗାଇ ଦେଇଛନ୍ତି। ବୈଜ୍ଞାନିକମାନେ କହିଛନ୍ତି ଜେଲାଣ୍ଡିଆର ଅଧ୍ୟୟନ କରିବା ସବୁ ବେଳେ କଠିନ ଥିଲା। ବୈଜ୍ଞାନିକମାନେ ସମୁଦ୍ର ତଳୁ ଆଣିଥିବା ଚଟ୍ଟାଣ ଓ ପଙ୍କ ସଂଗ୍ରହ କରି ଅଧ୍ୟୟନ କରୁଛନ୍ତି, ଯେଉଁଥିରୁ ଅଧିକାଂଶ ଡ୍ରିଲିଂ ସ୍ଥଳରୁ ଅଣାଯାଇଛି। ଏହି ଚଟ୍ଟାଣ ନମୁନାରୁ ପଶ୍ଚିମ ଆଣ୍ଟାର୍କଟିକାର ଭୂ ଗର୍ଭୀୟ ପାଟନ ଜଣାପଡିଥାଏ। ଯାହା ନ୍ୟୁଜିଲ୍ୟାଣ୍ଡର ପଶ୍ଚିମ ତଟରୁ ଦୂରରେ କ୍ୟାମ୍ପବେଲ ପ୍ଲାଟ୍ୟୁ ପାଖ ଏକ ସବଡକ୍ସନ ଜୋନର ସମ୍ଭାବନାର ସଂକେତ ଦେଇଥାଏ। ତେବେ ଗବେଷକଙ୍କୁ ଏହି କ୍ଷେତ୍ରର ଚୁମ୍ବକୀୟ କ୍ଷମତା ମିଳି ନାହିଁ। ବୈଜ୍ଞାନିକମାନେ ଜେଲାଣ୍ଡିଆର ଏକ ନକ୍ସା ମଧ୍ୟ ତିଆରି କରିଛନ୍ତି। ଏଥିରେ ମହାଦ୍ୱୀପର ଭୂ ବୈଜ୍ଞାନିକ ବିଶେଷତାଙ୍କୁ ମଧ୍ୟ ଦର୍ଶାଉଛି।