ଉତ୍ତରାଖଣ୍ଡରେ ଭୂମିକମ୍ପ ରଚିପାରେ ତୁର୍କି ଭଳି ତାଣ୍ଡବ, ସତର୍କ କଲେ ବୈଜ୍ଞାନିକ
21/02/2023 at 4:31 PM

ନୂଆଦିଲ୍ଲୀ ୨୧।୨: ଭୂ ବୈଜ୍ଞାନିକ ଡ. ଏନ.ପୂର୍ଣ୍ଣ ଚନ୍ଦ୍ର ରାଓଙ୍କ ଚେତାବନୀ ଏବେ ଉତ୍ତରାଖଣ୍ଡ ଲୋକଙ୍କ ନିଦ ହଜାଇ ଦେଇଛି। ସେ କହିଛନ୍ତି ଯେ ଉତ୍ତରାଣ୍ଡ ଭୂ ପୃଷ୍ଠ ତଳେ ନିୟମିତ ପରିବର୍ତ୍ତନ ଜାରି ରହିଛି। ଏହି ପରିବର୍ତ୍ତନ ସେ ପର୍ଯ୍ୟନ୍ତ ଜାରି ରହିବ ଯେଉଁ ପର୍ଯ୍ୟନ୍ତ ଏକ ଭୂମିକମ୍ପ ନ ହୋଇଛି। ତେବେ ଭୂମିକମ୍ପର ସମୟ ଓ ତାରିଖ ନେଇ କିଛି କହି ହେବନି। ଭୂମିକମ୍ପ ହେଲେ ତୁର୍କି ଭଳି ପରିସ୍ଥିତି ସୃଷ୍ଟି ନ କରିବ ତାହା କହି ହେବନି ବୋଲି ଡା. ରାଓ କହିବା ଏବେ ଚିନ୍ତାର କାରଣ ପାଲଟିଛି।
ଯଦି ଭୂମିକମ୍ପ ହୁଏ ତେବେ କିପରି ବିନାସ ରଚିବ ତାହା ମଧ୍ୟ କହି ହେବନି ବୋଲି ସେ କହିଛନ୍ତି। କାରଣ ବିନାଶର ପ୍ରକାର ଅନେକ କାରକ ଉପରେ ନିର୍ଭର କରେ ଏପରିକି ଗୋଟିଏ ଭୌଗଳିକ କ୍ଷେତ୍ରରୁ ଅନ୍ୟ ଭୌଗଳିକ କ୍ଷେତ୍ର ମଧ୍ୟରେ ପାର୍ଥକ୍ୟ ହୋଇପାରେ ବୋଲି ସେ କହିଛନ୍ତି। ଉତ୍ତରାଖଣ୍ଡର ହିମାଳୟ କ୍ଷେତ୍ରରେ ପାଖପାଖି ୮୦ଟି ଭୂମିକମ୍ପ ଷ୍ଟେସନ ସ୍ଥାପିତ ହୋଇଛି। ଏଥିରୁ ଯେଉଁ ତଥ୍ୟ ମିଳୁଛି ସେଥିରେ ଅନେକ ସମୟରୁ ଭୂ-ଗର୍ଭରେ ଆନ୍ଦୋଳନ ଜାରିଥିବାର ସୂଚନା ମିଳୁଛି।

ସେ କହିଛନ୍ତି ଆମ ପାଖରେ ଜିପିଏସ୍ ନେଟୱାର୍କ ରହିଛି। ତେବେ ଜିପିଏସ୍ ପଏଣ୍ଟ ହଲୁଛି ଯାହା ମାଟିତଳେ ହେଉଥିବା ପରିବର୍ତ୍ତନର ସଂକେତ ଦେଉଛି। ତେବେ ଏହି ପରିବର୍ତ୍ତନ ସମ୍ପର୍କରେ ସ୍ପଷ୍ଟ ସୂଚନା ପାଇବା ପାଇଁ ଭେରିଓମେଟ୍ରିକ ଜିପିଏସ୍ ଡାଟା ପ୍ରୋସେସିଂ ଭରସା ଯୋଗ୍ୟ ଉପାୟ ମଧ୍ୟରୁ ଗୋଟିଏ। ସେ କେହିଛନ୍ତି ଯେ ଯଦିଓ ଆମେ ସଠିକ ତାରିଖ ଓ ସମୟର ଭବିଷ୍ୟତବାଣୀ କରିପାରିବାନି ତେବେ ଉତ୍ତରାଖଣ୍ଡରେ କେବେ ନା କେବେ ବଡ଼ଧରଣର ଭୂମିକମ୍ପ ଆସିବା କିନ୍ତୁ ନିଶ୍ଚିତ।
ଯୋଶୀମଠରେ ମାଟି ଧସିବା ଘଟଣାର ଆଲୋଚନାରେ ସେ ଏପରି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଗାମୀ ୨ ମାସରେ ଦେଶରେ ୪ ଧାମ ଯାତ୍ରା ଆରମ୍ଭ ହୋଇଯିବ। ଏହି ଯାତ୍ରା କାଳରେ ସାରା ଦେଶରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଉତ୍ତରାଖଣ୍ଡ ପର୍ବମାଳାରେ ଜମିଥାଏ। ଯଦି ଏପରି କୌଣସି ପରିସ୍ଥିତି ଉପୁଜେ ତେବେ ବାସ୍ତବିକ ଏହା ଭୟାନକ ହେବ ବୋଲି କୁହାଯାଉଛି। ୮ ବା ଅଧିକ ତୀବ୍ରତାର ଭୂମିକମ୍ପ ଭୀଷଣ ବିନାଶକାରୀ ହୋଇଥାଏ। ତୁର୍କିରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିଲା। ଏଥିରେ ହିମାଳୟ କ୍ଷେତ୍ରରେ ଭୂମିକମ୍ପ ହେଲେ ଏହା ୮ ଓ ଏହାଠାରୁ ଅଧିକ ତୀବ୍ର ହୋଇପାରେ ବୋଲି ବୈଜ୍ଞାନିକ ଆକଳନ କରୁଛନ୍ତି।

ହିମାଳୟ କ୍ଷେତ୍ର ଜମ୍ମୁ-କାଶ୍ମୀରରୁ ଅଋଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପ୍ତ। ଏଥିରେ ଭୂମିକମ୍ପ ହେଲେ ଏହାର କ୍ଷୟକ୍ଷତି ଜନସଂଖ୍ୟାର ଘନତ୍ୱ, ଭବନ, ପାହାଡ ଅଥବା ସମତଳରେ ନିର୍ମାଣର ମାନ ଉପରେ ନିର୍ଭର କରିବ ବୋଲି ବୈଜ୍ଞାନିକ କହିଛନ୍ତି। ସମ୍ପୂର୍ଣ୍ଣ ହିମାଳୟ କ୍ଷେତ୍ରରେ ଭୂମିକମ୍ପର ଆଶଙ୍କା ଯଥେଷ୍ଟ ଅଧିକ। ଏଠାରେ ଅତୀତରେ ୧୭୨୦ରେ କୁମୟୁନ ଭୂମିକମ୍ପ ଓ ୧୮୦୩ରେ ଗଢବାଲ ଭୂମିକମ୍ପ ସହିତ ମୋଟ ୪ଟି ବଡ଼ ଭୂମିକମ୍ପ ହୋଇଛି।