ସ୍ପଷ୍ଟ କଲେ ସରକାର: ୨୦୨୧ ପୂର୍ବରୁ ଦେଶରେ କରୋନା ଭ୍ୟାକସିନ୍ ଆସିବାର ସମ୍ଭାବନା ନାହିଁ

Published By : Prameya-News7 Bureau | July 05, 2020 IST

ନୂଆଦିଲ୍ଲୀ ୦୫।୦୭: କରୋନା ଭାଇରସ୍‌ ଭ୍ୟାକସିନ୍‌କୁ ନେଇ ICMRର ଦାବି ଉପରେ ଅନେକ ସଂଗଠନ ଏବଂ ବିରୋଧୀ ପ୍ରଶ୍ନ ଉଠାଇବା ପରେ ଏବେ ବିଜ୍ଞାନ ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟ ଭାବେ କହିଛି ଯେ, ୨୦୨୧ ପୂର୍ବରୁ ଭ୍ୟାକସିନ୍ ବାହାରିବାର କୌଣସି ସମ୍ଭାବନା ନାହିଁ। ଆଇସିଏମଆର ଦାବି କରିଥିଲା ଯେ, ଅଗଷ୍ଟ ୧୫ ସୁଦ୍ଧା କରୋନା ଭ୍ୟାକସିନ୍ ବ୍ୟବହାର ଲାଗି ଉପଲବ୍ଧ ହୋଇଯିବ। ସଂସ୍ଥା ବଛା ବଛା ହସ୍ପିଟାଲ ଓ ସଂସ୍ଥାକୁ ପରୀକ୍ଷଣ ପ୍ରକ୍ରିୟା ଶୀଘ୍ର ଶୀଘ୍ର କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲା। ଏବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି ଯେ, ୧୪୦ ଭ୍ୟାକସିନ୍ ମଧ୍ୟରୁ ୧୧ ମାନବ ପରୀକ୍ଷଣ ପାଇଁ ପ୍ରସ୍ତୁତ। ମାତ୍ର ଆଗାମୀ ବର୍ଷ ପର୍ଯ୍ୟନ୍ତ ଏହାର ବ୍ୟବହାର ସମ୍ଭାବନା ବହୁତ କମ ରହିଛି।

ମଣିଷଙ୍କଠାରେ ପରୀକ୍ଷଣ ପାଇଁ ୧୧ ଭ୍ୟାକସିନ୍‌ ପ୍ରସ୍ତୁତ ଏବଂ ଏଥିରୁ ଦୁଇଟି ଭାରତରେ ତିଆରି ହୋଇଛି। ଗୋଟିଏ ଆଇସିଏମଆର ଓ ବାୟୋଟେକ୍‌ ମିଶି ପ୍ରସ୍ତୁତ କରିଥିବା ବେଳେ ଦ୍ଵିତୀୟ  ଜାୟଡସ୍‌ କ୍ୟାଡିଲା ତିଆରି କରିଛି। ମନ୍ତ୍ରଣାଳୟ ରବିବାର କହିଛି ଯେ, ୬ ଭାରତୀୟ କମ୍ପାନୀ ଟିକେ ଉପରେ କାମ କରୁଛନ୍ତି। ଆଇସିଏମଆରର ଭ୍ୟାକସିନ୍ ମଧ୍ୟ ମାନବ ପରୀକ୍ଷଣ ପାଇଁ ପ୍ରସ୍ତୁତ ଏବଂ ଏହାକୁ ମଞ୍ଜୁରୀ ମିଳି ସାରିଛି।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିକାଶ ପରିଷଦ CSIR- CCMBର ଉଚ୍ଚ ଅଧିକାରୀ କହିଛନ୍ତି, ଏହି ପ୍ରକ୍ରିୟାରେ ଅନେକ କ୍ଲିନିକଲ ଟ୍ରାଏଲ କରିବାକୁ ପଡେ। ତେଣୁ ଏକ ବର୍ଷ ପୂର୍ବରୁ ଭ୍ୟାକସିନ୍ ବାହାରିବା ସମ୍ଭବ ନୁହେଁ। ଆଇସିଏମଆର କହିଛି ଯେ, କରୋନା ପରି ବିପଦଜ୍ଜନକ ରୋଗର ଭ୍ୟାକସିନ୍‌ ପାଇଁ କ୍ଲିନିକଲ ଟ୍ରାଏଲର ଆବଶ୍ୟକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.