ଖରା ପାଇଁ ୩ ଦିନ ସମୟ ପରିବର୍ତ୍ତନ; ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏଁ ସ୍କୁଲ ଖୋଲା

Published By : Prameya-News7 Bureau | April 22, 2024 IST

ଭୁବନେଶ୍ୱର,୨୨/୦୪: ସୋମବାରଠୁ ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ସମୟ ସାରଣୀରେ ପରିବର୍ତ୍ତନ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ରାଜ୍ୟ ସରକାର ୩ ଦିନ ବିଦ୍ୟାଳୟ ଖୋଲିବା ଏବଂ ବନ୍ଦ ସମୟ ପରିବର୍ତ୍ତନ କରିଛନ୍ତି । ଆଜିଠୁ ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ଚାଲିବ । ଅନ୍ୟପଟେ ଆସନ୍ତା ୨୫ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲ୍‌ରେ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଛି । 

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢ଼ିଚାଲିଛି । ରବିବାର ରାଜ୍ୟର ୩୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ତେବେ ସୋମବାର ହାତ ଗଣତି କିଛି ସ୍ଥାନକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରାରେ ସେଭଳି କିଛି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି । ଛୁଟି ସମୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ଜାରି ରହିବ । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍କୁଲ୍‌ ପରିଚାଳନା କରାଯିବ । 

ସୂଚନାଯୋଗ୍ୟ, ଗତ ବୁଧବାରଠାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୩ ଦିନ ପାଇଁ ସ୍କୁଲ୍‌ ଛୁଟି କରାଯାଇଥିଲା । ଅନ୍ୟପକ୍ଷରେ ରାଜ୍ୟ ସରକାର ସୋମବାରଠୁ ଛୁଟି ଘୋଷଣା ନ କରି ଆହୁରି ୩ଦିନ ସ୍କୁଲ୍‌ ଖୋଲା ରଖିବାକୁ ନେଇ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ୩ଦିନ କ’ଣ ପିଲାଙ୍କ ପାଇଁ ଖରାର ବିପଦ ଟଳିଯିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ତେଣୁ ପିଲାଙ୍କ ସ୍ୱାର୍ଥକୁ ଆଖିରେ ରଖି ଆଗୁଆ ଛୁଟି କରିବାକୁ ସେମାନେ ଦାବି କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.