ବାକିଥିଲା ଡ୍ୟୁଜ୍, ଛାତ୍ର ହାତ୍ରରେ ‘ପ୍ଲିଜ୍ ଡିପୋଜିଟ୍ ଦ ଫିଜ୍’ ମୋହର ମାରିଲେ ସ୍କୁଲ କର୍ତ୍ତୃପକ୍ଷ
27/05/2019 at 7:05 PM

ଲୁଧିଆନା ୨୭।୫: ବଲିଉଡ୍ ଫିଲ୍ମ ‘ଦିବାର’ର ସ୍ମୃତିକୁ ପୁଣି ତାଜା କରିଦେଇଛି ଲୁଧିଆନାର ଏସଡିଏନ ପବ୍ଲିକ ସ୍କୁଲ। ଫିସ୍ ଦାଖଲ କରିନଥିବାରୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଛାତ୍ର ‘ହାତରେ ପ୍ଲିଜ ଡିପୋଜିଟ୍ ଦ ଫିଜ୍’ ମୋହର ମାରି ଘରକୁ ପଠାଇଦେଇଛନ୍ତି । ଘଟଣା ପ୍ରଘଟ ହେବା ପରେ ସହରରେ ଅସନ୍ତୋଷ ଦେଖାଦେଇଛି । ଡିଇଓ ସ୍ବର୍ଣ୍ଣଜିତ କୌରଙ୍କ ନିକଟରେ ଏବେ ଘଟଣା ପହଞ୍ଚିଥିବା ବେଳେ ସେ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ ଲୁଧିଆନା ମୁଣ୍ଡିଆକଲାନ ଅଞ୍ଚଳର ଫୁଟା ରୋଡ ୩୩ରେ ଅବସ୍ଥିତ ଏସ୍.ଡି.ଏନ୍. ପବ୍ଲିକ ସ୍କୁଲରେ ପଢନ୍ତି ହର୍ଷଦୀପ ସିଂହ। ୧୨ ବର୍ଷ ବୟସ୍କ ହର୍ଷ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ଗତ ୨ ମାସ ହେଲା ତାଙ୍କର ସ୍କୁଲ ଫିସ୍ ପୈଠ ହୋଇନାହିଁ। କେବଳ ହର୍ଷ ନୁହଁନ୍ତି ସ୍କୁଲରେ ପଢୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଡ୍ୟୁଜ କ୍ଲିୟର ହୋଇନଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ଖାତାରେ ଅଭିଭାବକଙ୍କ ଗୋଚରାର୍ଥେ ‘ପ୍ଲିଜ୍ ଡିପୋଜିଟ୍ ଦ ଫିଜ୍’ମୋହର ମାରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଶ୍ରେଣୀରେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଖାତାରେ ଏହି ମୋହର ମାରିଥିବା ବେଳେ ହର୍ଷଙ୍କ ଖାତା ନଥିବାରୁ ତାଙ୍କ ହାତରେ ଏହି ମୋହର ମାରି ଦିଆଯାଇଥିବା ଶିକ୍ଷକ କହିଛନ୍ତି।

ସ୍କୁଲରେ ହର୍ଷଙ୍କ ସମେତ ତାଙ୍କ ସାନ ଭାଇ ଯୁବରାଜ ଓ ଭଉଣୀ ଯଶପ୍ରୀତ ମଧ୍ୟ ପଢନ୍ତି। ହର୍ଷଙ୍କ ପିତା କୂଲଦୀପ ଜଣେ ଅଟୋ ରିକ୍ସା ଚାଳକ। କିଛି ପାରିବାରିକ ସମସ୍ୟା ଯୋଗୁ ଗତ ୨ ମାସ ହେଲା ପିଲାମାନଙ୍କର ସ୍କୁଲ ଫିସ ଦେଇ ପାରୁନାହାନ୍ତି । ତେବେ ଏ ନେଇ ସେ ପ୍ରିନ୍ସିପାଲଙ୍କୁ ମଧ୍ୟ ଜଣାଇଥିଲେ। ଏହା ସତ୍ତ୍ବେ ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟ ଛାତ୍ର ସମେତ ପରିବାରକୁ ବ୍ୟଥୀତ କରିଥିବା କହିଛନ୍ତି କୂଲଦୀପ। ଶିକ୍ଷକ ରବର ଷ୍ଟାମ୍ପ କାଳି ଛାଡିଯିବ କହି ହର୍ଷ ହାତରେ ମୋହର ଲଗେଇ ଦେଇଥିଲେ। ତେବେ ହର୍ଷ ଭାରିମନରେ ଘରକୁ ଫେରିଥିଲା। ମା ପଚାରିବାରୁ ହାତରେ ଲଗାଯାଇଥିବା ସ୍କୁଲର ମୋହର ଦେଖାଇବାରୁ ପିତା କୂଲଦୀପ ଏହା ଦେଖି ତୁରନ୍ତ ପ୍ରିନ୍ସିପାଲଙ୍କୁ ଭେଟିବାକୁ ବାହାରିଥିଲେ। ହେଲେ ସେଠାରେ ସ୍କୁଲର କର୍ତ୍ତୃପକ୍ଷ ତାଙ୍କୁ ଭେଟ କରାଇ ନଦେବାରୁ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତେଜିତ ଅଭିଭାବକମାନେ ସ୍କୁଲରେ ଭଙ୍ଗାରୁଜା କରିଥିବା ମୁଣ୍ଡିଆକଲା ଥାନାରେ ଅଭିଯୋଗ ହୋଇଛି । ତେବେ ଘଟଣାକୁ ନେଇ ଶିକ୍ଷା ବିଭାଗ ଚିନ୍ତାବ୍ୟକ୍ତ କରିବା ସହ ଡିଇଓ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।