ଭୂଷୁଡିଲା ସ୍କୁଲ ଛାତ, ୩ ଶ୍ରମିକଙ୍କ ସମେତ ୩୦ ଛାତ୍ରଛାତ୍ରୀ ଆହତ, ୭ଙ୍କ ଅବସ୍ଥା ଗୁରୁତର

Published By : Prameya-News7 Bureau | September 23, 2021 IST

ଗନ୍ନୌର ୨୩।୯:  ହରିୟାଣା ଗନ୍ନୌରର ଗାଁଓ ବାୟଁରେ ଥିବା ଜୀବାନନ୍ଦ ପବ୍ଲିକ ସ୍କୁଲରେ ଅଘଟଣ। ଗୁରୁବାର ସ୍କୁଲରେ ପାଠ ପଢା ଚାଲିଥିବା ବେଳେ ଛାତ ଉପରେ ମାଟି ପକା କାମ ହେଉଥିଲା। ଫଳରେ ତୃତୀୟ ଶ୍ରେଣୀରେ ଛାତ ଧସିପଡିଛି। ଶ୍ରେଣୀରେ ପଢୁଥିବା ୨୭ ଜଣ ଛାତ୍ରଛାତ୍ରୀ ଛାତ ତଳେ ପୋତି ହଇ ରହିଥିବା ବେଳେ ଛାତ ଉପରେ ମାଟି ପକାଉଥିବା ୩ ଜଣ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ୭ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚଣ୍ଡିଗଡ ପିଜିଆଇ ପଠାଯାଇଛି।

ମିଳିଥିବା ସୂଚନା ଅନୁସାରେ ସ୍କୁଲର କଞ୍ଚା ଛାତ ଉପରେ କର୍ତ୍ତୃପକ୍ଷ ଶ୍ରମିକଙ୍କୁ ଲଗାଇ ମାଟି ପକାଉଥିଲେ। ତଳେ ଶ୍ରେଣୀରେ ପାଠ ପଢା ଚାଲିଥିଲା। ତୃତୀୟ ଶ୍ରେଣୀର ଛାତ ଅଚାନକ ଧସିପଡିଥିଲା। ଦୁର୍ଘଟଣା ବେଳେ ଶ୍ରେଣୀରେ ୨୭ ଜଣ ଛାତ୍ରଛାତ୍ରୀ ଥିଲେ। ସେମାନଙ୍କ ଉପରେ ୩ ଜଣ ଶ୍ରମିକ ମଧ୍ୟ ଖସିପଡିଥିଲେ। ଛାତ ଭୂଷୁଡିବା ଶବ୍ଦରେ ସ୍କୁଲ ପରିସର କମ୍ପିଯାଇଥିଲା। ଲୋକେ ଦଉଡାଧାପଡା ହୋଇ ଛତ ତଳୁ ପିଲାଙ୍କୁ ଉଦ୍ଧାର କରିଥିଲେ।

ପିଲାମାନଙ୍କୁ ଉଦ୍ଧାର ପରେ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଏମାନଙ୍କ ମଧ୍ୟରୁ ଅଂଶୁ, ଲକ୍ଷ୍ମୀ, ସୂରଜ, ସ୍କୃତି, ଭାବନା, ଦିବ୍ୟା ଓ ସାଲୋନୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚଣ୍ଡିଗଡ ପିଜିଆଇ ରେଫର କରାଯାଇଛି। ତେବେ ଅଭିଭାବକମାନେ ନିଜନିଜ ପିଲାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି। ଦୁର୍ଘଟଣା ସୂଚନା ପାଇ ଏସଡିଏମ ସୁରେନ୍ଦ୍ର ଦୁହନ, ସିଭିଲ ସର୍ଜନ ଜୟକିଶୋର ଓ ବଡି ଥାନା ଓଆଇସି ଘଟଣାସ୍ଥଳରେ ପହଞ୍ଚିଛନ୍ତି।

{"id":516527,"width":842,"height":632,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.