ଉପସ୍ଥାନ ଅଭାବରୁ ବନ୍ଦ ହେବ ଉତ୍କଳ ଗୌରବ ମଧୁବାବୁ ଗାଁ ସ୍କୁଲ

Published By : Prameya-News7 Bureau | December 02, 2020 IST

ସାଲେପୁର ୦୨।୧୨:  ସ୍କୁଲ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ଏବେ ସ୍କୁଲରେ  ପିଲାଙ୍କ ଉପସ୍ଥାପନ ଅଭାବରୁ ସେସବୁ ବନ୍ଦ କରି ନିକଟରେ ଥିବା ସ୍କୁଲ ସହିତ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ବନ୍ଦ ହେବାକୁ ଯାଉଥିବା ବିଦ୍ୟାଳୟରେ ଉତ୍କଳ ଗୌରବ ମଧୂସୂଦନ ଦାସଙ୍କ ଗାଁ ସ୍କୁଲ ରହିଛି । ଯାହା ସତ୍ୟଭାମାପୁର ସରକାରୀ ବାଳକ ପ୍ରାଥମିକ ବିଦ୍ୟାଳୟ ଭାବେ ନାମିତ ଅଛି ।

ସତ୍ୟଭାମାପୁର ସରକାରୀ ବାଳକ ପ୍ରାଥମିକ ବିଦ୍ୟାଳୟ ୧୧୫ ବର୍ଷର ପୂରଣା ସ୍କୁଲ । ଯାହାକୁ ମଧୁ ବାବୁ ନିଜେ ଗଢିଥିଲେ । ଏହି ବିଦ୍ୟାଳୟ ଅନେକ ଭଲ ମଣିଷ ଗଢିବାରେ ସହାୟକ ହୋଇଛି । କିନ୍ତୁ ଆଜି ସେହି ବିଦ୍ୟାଳୟରେ ୨୦ରୁ କମ୍‌ ପିଲା ଥିବା ଦର୍ଶାଇ ବନ୍ଦ କରିବାକୁ ଏକ ତାଲିକା ପ୍ରକାଶ ପାଇଛି । ଯଦି ସ୍କୁଲ ବନ୍ଦ ହୁଏ , ତେବେ ବହୁ ଛୋଟ ଛୋଟ ପିଲା ଅନେକ ଅସୁବିଧାର ସମ୍ମୁଖୀନ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ସାଲେପୁର ବ୍ଲକ ଅନ୍ତର୍ଗତ ମଧୁବାବୁଙ୍କ ଗାଁ ସତ୍ୟଭାମାପୁର ଗାଁରେ ଶିକ୍ଷାର ବିକାଶ ପାଇଁ ୨ଟି ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଗୋଟିଏ ବିଦ୍ୟାଳୟ ୧୯୦୫ରେ ସତ୍ୟଭାମାପୁର ବାଳକ ବିଦ୍ୟାଳୟ ଭାବେ ସ୍ଥାପିତ ହୋଇଥିଲା । ଅନ୍ୟଟି ୧୯୧୧ରେ ମଧୁବାବୁଙ୍କ ନାଁରେ ଉତ୍କଳ ଗୌରବ ମଧୂସୂଦନ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଅନେକ ମଣିଷ ତିଆରି କରିଛି ଏହି ବିଦ୍ୟାଳୟ । ଏପରିକି ମଧୁବାବୁଙ୍କ ଅନେକ ସ୍ମତିର ମୂକସାକ୍ଷୀ ରହିଛି ଏହି ସ୍କୁଲ।  

ସତ୍ୟଭାମାପୁର ବାଳକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢନ୍ତି । କିନ୍ତୁ ସତ୍ୟଭାମାପୁର ବାଳକ ବିଦ୍ୟାଳୟରେ ଏବେ ମାତ୍ର ୧୫/୧୬ ଜଣ ପିଲା ପାଠ ପଢୁଛନ୍ତି। ଯାହାଫଳରେ ସରକାରୀ ସ୍ତରରେ ଏହି ବିଦ୍ୟାଳୟକୁ ବନ୍ଦ କରି ନିକଟସ୍ଥ ମଧୁବାବୁଙ୍କ ନାଁରେ ଗଢି ଉଠିଥିବା ବାଳିକା ବିଦ୍ୟାଳୟ ସହିତ ମିଶ୍ରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ମଧୁମାଟିର ଏହି ପୁରାତନ ତଥା ୧୧୫ ବର୍ଷର ସ୍କୁଲ ବନ୍ଦ ନହେବା ପାଇଁ ସ୍ଥାନୀୟ ବିଧାୟକ ସବୁସ୍ତରରେ ଚେଷ୍ଟା କରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.