ବିନା ପୋଷାକରେ ସ୍କୁଲ ଆସ, ତୁମେମାନେ ପୁଅମାନଙ୍କୁ ଖରାପ କରୁଛ’, ଛାତ୍ରୀଙ୍କୁ ଅଶ୍ଳୀଳ କମେଣ୍ଟ କରି ଫସିଲେ ପ୍ରିନ୍ସିପାଲ
8/09/2021 at 5:16 PM

ରାଜଗଡ଼ ୮/୦୯: ଛାତ୍ରୀଙ୍କୁ ସ୍କୁଲର ପ୍ରିନ୍ସିପାଲଙ୍କ ଡାର୍ଟି କମେଣ୍ଟ। ଶିକ୍ଷକ-ଛାତ୍ରୀଙ୍କ ସମ୍ପର୍କରେ କଳଙ୍କ । ନିଜ ମର୍ଯ୍ୟାଦାକୁ ଭୁଲି ପ୍ରିନ୍ସିପାଲ ଛାତ୍ରୀମାନଙ୍କୁ ଅଶ୍ଳୀଳ କମେଣ୍ଟ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିନା ପୋଷକାରେ ସ୍କୁଲ ଆସିବାକୁ କହିବା ସହ ପୁଅମାନଙ୍କୁ ତୁମେମାନେ ହିଁ ବିଗାଡ଼ୁଛ ବୋଲି ଛାତ୍ରୀମାନଙ୍କୁ କହିଥିଲେ ଶିକ୍ଷକ। ଶିକ୍ଷକ ଦିବସକୁ ଦିନ କେଇଟା ପୂରିନଥିବା ବେଳେ ଜଣେ ସରକାରୀ ସ୍କୁଲର ପ୍ରିନ୍ସିପାଲଙ୍କ ଏମିତି କାଣ୍ଡ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରୁ ସାମ୍ନାକୁ ଆସିଛି।
ଛାତ୍ରୀମାନଙ୍କ ବିକ୍ଷୋଭ ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ପ୍ରିନ୍ସିପାଲ୍ ରାଧେଶ୍ୟାମ ମାଲବ୍ୟଙ୍କ ବିରୋଧରେ ପୋଲିସ ଭାରତୀୟ ପେନାଲ କୋଡ୍ର ଧାରା ୫୦୯, ୩୫୫ ଏବଂ ପକ୍ସୋ ଆକ୍ଟ ଜରିଆରେ ମାମଲା ରୁଜୁ କରିଛି। ମଛାଲାପୁର ଥାନରେ ଏଫଆଇଆର ହୋଇଥିବା ନେଇ କହିଛନ୍ତି ରାଜଗଡ଼ ଏସପି ପ୍ରତୀକ ଶର୍ମା।
ମିଳିଥିବା ସୂଚନା ଅନୁସାରେ, ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରୀମାନେ ଅଭିଯୋଗ କରିଛନ୍ତି ସ୍କୁଲ ୟୁନିଫର୍ମ ପିନ୍ଧିନଥିବାରୁ ପ୍ରନ୍ସିପାଲ ସେମାନଙ୍କୁ ଗାଳି କରିଥିଲେ। ୟୁନିଫର୍ମ ତିଆରି ହୋଇନଥିବା କହିବା ସତ୍ବେ ମଧ୍ୟ ଶିକ୍ଷକ ସେମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ସେ କହିଥିଲେ, ‘ଝିଅମାନେ ପୁଅମାନଙ୍କୁ ଆକୃଷ୍ଟ କରିବା ପାଇଁ ଫେସନ୍ ପୋଷାକ ପିନ୍ଧି ଆସୁଛନ୍ତି । ସେମାନେ ପୁଅମାନଙ୍କୁ ଖରାପ କରିବା ପାଇଁ ଦାୟୀ।’ ଏହା ବ୍ୟତୀତ ନିଜ ମର୍ଯ୍ୟାଦା ଭୁଲି ଝିଅମାନଙ୍କୁ ବିନା ପୋଷାକରେ ସ୍କୁଲ ଆସିବାକୁ କହିଥିଲେ ଅଭିଯୁକ୍ତ ପ୍ରିନ୍ସିପାଲ।
ଛାତ୍ରୀଙ୍କ ଅଭିଭାବକ ଏନେଇ ପ୍ରିନ୍ସିପାଲଙ୍କୁ ପଚାରିବାରୁ ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ନିଜ ମନ୍ତବ୍ୟ ବଦଳାଇଥିଲେ। ଝିଅମାନଙ୍କୁ ସ୍କୁଲର ନିୟମ ମାନିବାକୁ କହିଥିଲେ ବୋଲି ସେ ସଫେଇ ଦେଇଥିଲେ। ଏହା ପରେ ଛାତ୍ରୀମାନେ ଶିକ୍ଷକଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ଗଣଶିକ୍ଷା ବିଭାଗ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରି ତାଙ୍କୁ ନିଲମ୍ବିତ କରିବା ପାଇଁ ନିର୍ଦେଶ ଦେଇଛି। ଏହା ବ୍ୟତୀତ ଅଭିଯୁକ୍ତ ପ୍ରିନ୍ସିପାଲଙ୍କ ବିରୋଧରେ ଥାନାରେ ଏତଲା ହୋଇଥିବା ଜାଣିବା ପରେ ମାମଲାରେ ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ରାଜଗଡ଼ ଡିଇଓ ବିଏସ୍ ବିସୋରିଆ ।