ବିଭିନ୍ନ ଦାବି ନେଇ ତାତିଲେ ଏସ୍ଏଚ୍ଜି ମହିଳା, ସ୍କୁଲ ଭିତରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପକାଇଲେ ଚାବି
1/04/2023 at 3:08 PM

ବାରିପଦା ୦୧/୦୪: ବିଭିନ୍ନ ଦାବି ନେଇ ସ୍କୁଲ ଭିତରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଚାବି ପକାଇଲେ ଏସଏଚଜି ମହିଳା । ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଇଟାମୁଣ୍ଡିଆ ସ୍ଥିତ ବନଦୁର୍ଗା ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଏବଂ ସଫେଇ କାର୍ଯ୍ୟ ପାଇଁ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠିକୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ଭିନ୍ନ ଭିନ୍ନ ଗ୍ରୁପ୍କୁ କାର୍ଯ୍ୟ ବଣ୍ଟନ ପାଇଁ ଦାବି କରିଛନ୍ତି ମହିଳା ମାନେ ।
ଦୀର୍ଘ ଦିନରୁ ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଦ୍ୱନ୍ଦ ଲାଗି ରହିଥିଲା । ତେବେ ଏହି ଘଟଣାରେ ତିନିପକ୍ଷ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ଏମିତି ହେଲା ଯେ ଉତ୍କଳ ଦିବସ ପାଳିବାକୁ ଆସିଥିବା ବେଳେ କାମ ପାଇନଥିବା ଗୋଷ୍ଠୀ ସମାଧାନ ଦାବିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଭିତରେ ତାଲା ପକାଇ ଦେଇଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଥିବା ବେଳେ ଗ୍ରାମବାସୀ ଓ ପୋଲିସ ସମସ୍ୟାର ସମାଧାନ ଲାଗି ଉଦ୍ୟମ ଜାରି ରଖିଛନ୍ତି ।