ସ୍କୁଲ୍‌ ଫି’ ମାମଲା: ହାଇେକାର୍ଟରେ ପକ୍ଷ ରଖିଲେ ଡିଏଭି ଏବଂ ଆଇସିଏସଇ ସ୍କୁଲ ସଙ୍ଗଠନ, ୧୫ରେ ପରବର୍ତ୍ତୀ ଶୁଣାଣି

Published By : Prameya-News7 Bureau | December 10, 2020 IST

କଟକ ୧୦/୧୨:  ଡିଏଭି ସ୍କୁଲ ଏବଂ ଆଇସିଏସଇ ସ୍କୁଲ ସଙ୍ଗଠନ ହାଇକୋର୍ଟରେ ଆଜି ଜବାବ ଦାଖଲ କରିଛନ୍ତି । ଆର.ଟିଇ. ଆକ୍ଟ ୨୦୦୯ ଆସିବା ପରେ ଚୁକ୍ତିନାମାର ପ୍ରାସଙ୍ଗିକତା ହରାଇଥିବା ଏହି ଜବାବରେ ଉଳ୍ଲେଖ କରାଯାଇଛି । ଆସନ୍ତା ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ରାଜ୍ୟ  ସରକାର କରିଥିବା ଏମଓୟୁ ଅନୁଯାୟୀ ଅଦାଲତ ନିଷ୍ପତ୍ତି ନେବାକୁ ପୂର୍ବରୁ ହାଇକୋର୍ଟରେ ଯୁକ୍ତି ବାଢିଥିଲେ ଆଡଭୋକେଟ ଜେନେରାଲ । ରାଜ୍ୟରେ ସ୍କୁଲ ଫି ପରିଚାଳନା ପାଇଁ କୌଣସି ଆଇନ ନଥିବା ଗତ ୨ ତାରିଖରେ ସ୍ପଷ୍ଟ କରିଥିଲେ ସରକାର। ଗତ ସେପ୍ଟେମ୍ବର ୧୦ ତାରିଖରେ ଏ ସଂକ୍ରାନ୍ତରେ ଏମଓୟୁ ସ୍ବାକ୍ଷରିତ ହୋଇଥିବା ଓ ଫି ହ୍ରାସ ସହ ଜଡ଼ିତ ଏମଓୟୁ ଅନୁଯାୟୀ ନିଷ୍ପତ୍ତି ନେବାକୁ ପୁନଃଶ୍ଚ ମତ ଦୋହରାଇଥିଲେ ସରକାର ।

ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟରେ ଗତ ନଭେମ୍ବର ୨୩ ତାରିଖରେ ଶୁଣାଣି ହୋଇଥିବା ବେଳେ ରାଜ୍ୟ ସରକାରଙ୍କର ଘରୋଇ ସ୍କୁଲ ଉପରେ କର୍ତ୍ତୃତ ଅଛି କି ନାହିଁ ଓ କରୋନା ପାଇଁ ଫି କମାଯିବା ନେଇ ରାଜ୍ୟ ସରକାରଙ୍କର ଅଭିମତ କଣ ସେ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଅଭିଭାବକ ମହାସଙ୍ଘ ସତ୍ୟପାଠ ମାଧ୍ୟମରେ ଦର୍ଶାଇଥିଲେ ଯେ, ପଞ୍ଜାବ ଓ ହରିୟାଣା ସରକାରଙ୍କ ପକ୍ଷରୁ ସ୍କୁଲ ଫି କମାଇବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ରାଜସ୍ଥାନ ସରକାର ୪୦ ପ୍ରତିଶତ ଫି କମାଇବା  ସହ ସମସ୍ତ ଆନୁଷଙ୍ଗିକ ଚାର୍ଜ କମାଇଦେବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ଏନେଇ ସ୍କୁଲ କର୍ତ୍ତୃପକ୍ଷ ଓ ଅବିଭାବକ ସଙ୍ଘ ସହ ଏମଓୟୁ କରିଥିବା ବେଳେ ସେହି ଏମଓୟୁ ଅନୁଯାୟୀ ହାଇକୋର୍ଟ ନିର୍ଦ୍ଦେଶ ନାମା ଦିଅନ୍ତୁ ବୋଲି ମତାମତ ରଖିଥିଲେ ଗଣଶିକ୍ଷା ବିଭାଗ।

ଓଡିଶା ଅବିଭାବକ ମହାସଂଘ କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ହାଇକୋର୍ଟରେ ରୁଜୁ କରିଛି ମାମଲା। ସାତୋଟି ସ୍ଲାବରେ ଫି ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ରଖିଥିଲେ ପ୍ରସ୍ତାବ। ଗତ ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ଏହାର  ଅପୋଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ, ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ସଂଘ ଓ ଅବିଭାବକ ମହାସଂଘର ମିଳିତ ବୈଠକ ଆୟୋଜନ ହୋଇଥିଲା।

ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ କିଛି ପ୍ରତିଶତ ସ୍କୁଲ ଫି କମାଇଦେବାକୁ ସ୍କୁଲ ଗୁଡିକୁ ଅନୁରୋଧ କରିଥିଲେ। ବୈଠକରେ ସକରାତ୍ମକ ଆଲୋଚନା ହେବା ସହ ବୈଠକରେ ବାହାରିଥିବା ନିର୍ଯ୍ୟାସକୁ ନେଇ ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ସରକାର କରିଥିବା ଏମଓୟୁ ଅନୁଯାୟୀ, ବାର୍ଷିକ ୬ ହଜାର ଫି ଦେଉଥିବା ଛାତ୍ର ଛାତ୍ରୀ ଙ୍କର କୌଣସି ଫି’ ଛାଡ଼ ହେବନାହିଁ।

୬ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ୭.୫ ପ୍ରତିଶତ, ୧୨ ହଜାରରୁ  ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ, ୨୪ ହଜାରରୁ ୪୮ ହଜାର ପର୍ଯ୍ୟନ୍ତ ୧୫ ପ୍ରତିଶତ, ୪୮ ହଜାରରୁ ୭୨  ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଫି ଥିଲେ ୨୬ ପ୍ରତିଶତ ଫି କମାଇଦେବାକୁ ସରକାର ଚୁକ୍ତି କରିବା ସହ ଗତ ସେପ୍ଟେମ୍ବର ୨୯ ତାରିଖରେ ଏ ନେଇ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.