ଉତ୍ତରକାଶୀରେ ବାଦଲ ଫଟା ବର୍ଷା: ବେହାଲ ରାସ୍ତା, ଭୁଶୁଡ଼ିଲା ଘର

Published By : Prameya-News7 Bureau | July 22, 2023 IST

ନୂଆଦିଲ୍ଲୀ, ୨୨/୦୭: ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା । ପ୍ରଭାବରେ ଭୂସ୍ଖଳନ କାରଣରୁ ରାଜ୍ୟରେ ଅଧିକାଂଶ ଜାତୀୟ ରାଜପଥ ଏବଂ ରାସ୍ତା ବନ୍ଦ ହୋଇଛି। ଉତ୍ତରକାଶୀ ଜିଲ୍ଲାର ପୁରୋଲା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ବାଦଲଫଟା ବର୍ଷା ହୋଇଥିବା ସୂଚନା ମିଳିଛି। ବାଦଲ ଫଟା ବର୍ଷା କାରଣରୁ ଗାଁର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି।

ରିପୋର୍ଟ ଅନୁଯାୟୀ, ପୁରୋଲାର ଗାଁ ଛାଡ଼ାଖଡ୍ଡରେ ବାଦଲ ଫଟା ବର୍ଷା ଯୋଗୁଁ ବହୁ ପରିମାଣର କ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଏସଡିଏମ ଦେବନନ୍ଦ ଶର୍ମା କହିଛନ୍ତି ବାଦଲ ଫଟା ଘଟଣାରେ ଅନେକ ଘର, ବାହନ ଏବଂ ସଡ଼କ କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତିର ଆକଳନ କରିବାକୁ ଚେଷ୍ଟା କରାଯାଉଛି ସେହି ଅନୁଯାୟୀ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯିବ।

ଆହୁରି ପଢ଼ନ୍ତୁ: ବୈଷ୍ଣୋଦେବୀ ଦର୍ଶନରେ ବର୍ଷା ସାଜିଲା ବାଧକ, ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚୁଥିବା ରାସ୍ତା ସିଲ୍

ସେପଟେ ଉତ୍ତରକାଶୀ ଜିଲ୍ଲାପାଳ ମଧ୍ୟ ବର୍ଷା ଶନିବାର ପାଇଁ ସ୍କୁଲ ବନ୍ଦ କରିଛନ୍ତି। ଜିଲ୍ଲାର ଅନେକ ନଦୀ ଫୁଲିଛି ଏବଂ ରାସ୍ତାରେ ଧ୍ବଂସାବଶେଷ ଜମିବା ଫଳରେ ରାସ୍ତା ଅବରୋଧ ହୋଇଛି। ରାସ୍ତା ବନ୍ଦ ହେବା କାରଣରୁ ଅନେକ ଯାତ୍ରୀ ଫସିଛନ୍ତି। ବଡ଼କୋଟ ତହସିଲର ଗଙ୍ଗନାନୀରେ ଭୂସ୍ଖଳନ ହେବା ଫଳରେ ରାସ୍ତା ଅବରୋଧ ହୋଇଛି। ଅନେକ ପର୍ଯ୍ୟଟକ ରହଣିସ୍ଥଳ କ୍ଷତିଗ୍ରସ୍ତ ହୋଇଛି। ଆହୁରି ମଧ୍ୟ ସ୍କୁଲ, ଘର ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି।

ତେବେ ଘଟଣାର ସୂଚନା ମିଳିବା ପରେ ଏସଡିଆରଏଫ କର୍ମୀ ଘଟଣାସ୍ଥଳରେ ପହଞ୍ଚି ପ୍ରଭାବିତଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି। ସୌଭାଗ୍ୟବଶତଃ ଏଥିରେ କାହାର ମୃତ୍ୟୁ ହୋଇନାହିଁ। ବଡ଼କୋଟରେ ଗଙ୍ଗନାନୀ ନିକଟରେ ଅତ୍ୟଧିକ ବର୍ଷା କାରଣରୁ ଯମୁନୋତ୍ରୀ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.