ନୂଆବର୍ଷରୁ ଖୋଲିବ କଲେଜ, ଘୁଞ୍ଚିବ ୟୁଜି ଓ ପିଜି ସେମିଷ୍ଟର : ଜାନୁଆରୀ ୨ରୁ ଖୋଲିବ ସ୍କୁଲ !

Published By : Prameya-News7 Bureau | December 10, 2020 IST

ଭୁବନେଶ୍ବର ୧୦।୧୨: ନୂଆବର୍ଷରୁ ଖୋଲିପାରେ ମହାବିଦ୍ୟାଳୟ । ନୂଆବର୍ଷରୁ ମହାବିଦ୍ୟାଳୟ ଖୋଲିବା ନେଇ ଆଶା ରଖାଯାଇଛି ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସୂଚନା ଦେଇଛନ୍ତି । ଖୁବଶୀଘ୍ର ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ୟୁଜି ଓ ପିଜି ସେମିଷ୍ଟର ଘୁଞ୍ଚିବ ବୋଲି ସଚିବ କହିଛନ୍ତି । ୭୦ରୁ ୮୦ ଦିନ ପାଠପଢା ପରେ ପରୀକ୍ଷା କରାଯିବ । କଲେଜ ଖୋଲିବା ବିଳମ୍ବ ହେଲେ ପାଠ୍ୟକ୍ରମ ହ୍ରାସ କରାଯିବ । ଅନଲାଇନ ପଢ଼ାରେ ପରୀକ୍ଷା କଲେ ଫେଲ୍‌ ପ୍ରତିଶତ ବଢ଼ିବ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କ ସୂଚନା ଦେଇଛନ୍ତି ।

ସେପଟେ ଜାନୁଆରୀ ୨ରୁ ସ୍କୁଲ ଖୋଲିପାରେ ବୋଲି ସୂତ୍ରରୁ ପ୍ରକାଶ । ଏନେଇ ଗଣଶିକ୍ଷା ବିଭାଗ ଖୁବଶୀଘ୍ର ଘୋଷଣା କରିବେ । ସ୍କୁଲ ଖୋଲିବା ପରେ ଶନି ଓ ରବିବାର ଛୁଟି ବାତିଲ ହେବ ବୋଲି ସୂତ୍ରରୁ ସୂଚନା ମିଳୁଛି ।

କରୋନା କଟକଣା ଯୋଗୁଁ ରାଜ୍ୟରେ ସ୍କୁଲ-କଲେଜ ବନ୍ଦ ରହିଛି । ଛାତ୍ରଛାତ୍ରୀମାନେ ସ୍କୁଲ-କଲେଜ ମାଟି ମାଡିନାହାନ୍ତି । ଅନଲାଇନ୍‌ରେ ପାଠପଢା ହେଉଛି । କୋଭିଡ୍‌ ପାଇଁ ଏବେ ସିନା ଅନ୍‌ଲାଇନ୍‌ରେ କ୍ଲାସ୍‌ ଚାଲିଛି ହେଲେ ସରକାର କହିଛନ୍ତି ଅଫଲାଇନରେ କିନ୍ତୁ ପରୀକ୍ଷା ହେବ । ତେବେ ଅନଲାଇନ ପାଠପଢା ପ୍ରଭାବୀ ହୋଇନଥିବା ‌ବେଳେ ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ।

ଅନ୍‌ଲାଇନ୍‌ରେ ପାଠପଢା କିନ୍ତୁ ଅଫ୍‌ଲାଇନ୍‌ରେ ହେବ ପରୀକ୍ଷା । ମାଟ୍ରିକ୍‌ ଓ ଯୁକ୍ତ-୨ ପରୀକ୍ଷା ଅଫ୍‌ଲାଇନ୍‌‌ରେ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସରକାରଙ୍କ ଏଭଳି ଘୋଷଣା ପରେ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ । କାରଣ କୋଭିଡ୍‌ ପାଇଁ ୯ ମାସ ହେଲା ସ୍କୁଲ୍‌ ମାଟି ମାଡି ନାହାନ୍ତି ଛାତ୍ରଛାତ୍ରୀ । ଅନଲାଇନ୍‌ ପାଠପଢା ପ୍ରଭାବହୀନ ରହିଛି । ହେଲେ ଗଣଶିକ୍ଷା ବିଭାଗ କିନ୍ତୁ କହିଛି ପରୀକ୍ଷା ସିନା ବିଲମ୍ବରେ ହେବ କିନ୍ତୁ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ ।  ଏଥର ୩୦ ପ୍ରତିଶତ ସିଲାବସ୍‌ କାଣ୍ଟଛାଣ୍ଟ କରାଯାଇଥିଲେ ବି ସ୍କୁଲ୍‌ ଖୋଲିଥିବାରୁ ପାଠପଢା ପ୍ରଭାବହୀନ ରହିଛି । ଏଦୃଷ୍ଟିରୁ ଫେବୃୟାରୀ କିମ୍ବା ମାର୍ଚ୍ଚ ମାସରେ ପରୀକ୍ଷା କରିବା ସମ୍ଭବ ନୁହେଁ । ତେଣୁ ପରୀକ୍ଷା ବିଳମ୍ବ ହେବା ନିଶ୍ଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.