ମେ ୧୯ରେ ପାଟକୁରାରେ ଭୋଟ୍, ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ପରେ ସ୍ଥଗିତ ଥିଲା ନିର୍ବାଚନ

Published By : Prameya-News7 Bureau | April 24, 2019 IST

ଭୁବନେଶ୍ବର ୨୪|୪: କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମେ ମାସ ୧୯ତାରିଖରେ ପାଟକୁରାରେ ନିର୍ବାଚନ ହେବ । ପ୍ରକାଶ ପାଇଥିବା ବିଜ୍ଞପ୍ତି ମୁତାବକ, ଆସନ୍ତା ମେ ୧ ତାରିଖରେ ନାମାଙ୍କନ ଦାଖଲ କରାଯିବାକୁ ଥିବା ବେଳେ ମେ’ ୨ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ମେ ୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ଧାର୍ଯ୍ୟ କରାଯାଇଛି ।

ତେବେ ପାଟକୁରା ବିଧାନସଭା ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟରେ ତଥା ଏପ୍ରିଲ ୨୯ତାରିଖରେ ମତଦାନ ହେବାକୁ ଥିଲା । ପାଟକୁରା ଆସନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ପରେ ନିର୍ବାଚନ ସ୍ଥଗିତ ହୋଇଥିଲା ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ପାଟକୁରା ବିଧାନସଭା ପାଇଁ ୪ର୍ଥ ପର୍ଯ୍ୟାୟରେ ମତଦାନ ହେବାକୁ ଥିଲା । ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ବିଧାୟକ ବେଦପ୍ରକାଶ ଅଗ୍ରଓ୍ବାଲ । ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ଜୟନ୍ତ ମହାନ୍ତି ।

ତେବେ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ପରେ ନିର୍ବାଚନ ସ୍ଥଗିତ ଥିଲା । ପାଟକୁରାରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । କେବଳ ବିଜେଡି ହିଁ ନୂଆ ପ୍ରାର୍ଥୀ ଦେଇପାରିବ । ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ବଦଳାଇପାରିବେନାହିଁ । ତେବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡି ପ୍ରାର୍ଥୀ ଘୋଷଣା କରିବ । ବିଜେଡି କାହାକୁ ପ୍ରାର୍ଥୀ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି । ଏବେ ଏହି ଆସନରେ ନିର୍ବାଚନ ରୋଚକ ହେବ ବୋଲି ମଧ୍ୟ ଶୁଣାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.