ରାଜନୀତିରେ ଦାଗୀ ନେତା ସଂଖ୍ୟା କମାଇବାକୁ ସୁପ୍ରିମକୋର୍ଟଙ୍କ ପ୍ରୟାସ
13/02/2020 at 6:47 PM

ନୂଆଦିଲ୍ଲୀ/ଭୁବନେଶ୍ୱର ୧୩।୦୨ – ରାଜନୀତିରେ ଦାଗୀ ନେତା ସଂଖ୍ୟା କମାଇବାକୁ ସୁପ୍ରିମକୋର୍ଟଙ୍କ ପ୍ରୟାସ । ନିର୍ବାଚନରେ ସ୍ବଚ୍ଛତା ଆଣିବା ଲାଗି ରାଜନୈତିକ ଦଳଗୁଡିକୁ ସୁପ୍ରିକକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅପରାଧିକ ମାମଲା ଥିବା ନେତାଙ୍କୁ କେବଳ ଜିତିବା ମାନଦଣ୍ଡ ଦେଖାଇ ଟିକେଟ ଦେଇପାରିବ ନାହିଁ। ଏପରିକି ଏହି ନେତାଙ୍କୁ କାହିଁକି ଟିକେଟ ଦେଲେ ତାହାକୁ ସର୍ବସାଧରଣ ପ୍ରକାଶ କରିବାକୁ କୁହାଯାଇଛି । ସବୁ ପ୍ରାର୍ଥୀଙ୍କ ତଥ୍ୟ ସୋସିଆଲ ସାଇଟରେ ପ୍ରକାଶ କରିବାକୁ କୁହାଯାଇଛି । ସୁପ୍ରିମକୋର୍ଟଙ୍କ ଏପରି ନିର୍ଦ୍ଦେଶକୁ ନେଇ ବିଭିନ୍ନ ରାଜନୈତିକ ଦଳ ଦୋଛକିରେ ପଡିଛନ୍ତି…

ଦାଗୀ ନେତାଙ୍କ ତଥ୍ୟ ଦିଅ । ମାମଲା ଥିବା ନେତାଙ୍କୁ ଟିକେଟ କାହିଁକି ଦେଲ ଉତ୍ତର ରଖ। ରାଜନୀତିରେ ଅପରାଧୀ କରଣକୁ ରୋକିବାକୁ ସୁପ୍ରିମ୍କୋର୍ଟ ସବୁ ରାଜନୈତିକ ଦଳଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ଏଣିକି କେବଳ ପ୍ରାର୍ଥୀଙ୍କ ଜିତିବାକୁ ମାନଦଣ୍ଡ ରୂପେ ବିବେଚନା କରିପାରିବେ ନାହିଁ ରାଜନୈତିକ ଦଳ । ଅପରାଧିକ ମାମଲା ଥିବା ପ୍ରାର୍ଥୀମାନଙ୍କୁ କେଉଁ କାରଣରୁ ଟିକେଟ ଦିଆଯାଉଛି ତାହା ଦର୍ଶାଇବାକୁ କୋର୍ଟ ରାଜନୈତିକ ଦଳମାନଙ୍କୁ ନିର୍ଦେଶ ଦେଇଛନ୍ତି ।

ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ତୁରନ୍ତ ୱେବ୍ ସାଇଟରେ ଅପଲୋଡ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ କମିଶନଙ୍କୁ ସବୁ ଅପରାଧ ତଥ୍ୟ ଦେବାକୁ ପ୍ରାର୍ଥୀ ବାଧ୍ୟ ବୋଲି କୋର୍ଟ କହିଛନ୍ତି । ପ୍ରାର୍ଥୀ ଘୋଷଣା ହେବାର ୭୨ ଘଣ୍ଟା ମଧ୍ୟରେ ଏସବୁ ତଥ୍ୟ ଦେବେ ପ୍ରାର୍ଥୀ ।

ଏହାସହ ସମ୍ପୃକ୍ତ ରାଜନୈତିକ ଦଳର ସୋସିଆଲ୍ ମିଡିଆ ଆକାଉଣ୍ଟ ଯେପରିକି ଫେସ୍ ବୁକ୍ ଓ ଟୁଇଟର୍ ଆଦିରେ ମଧ୍ୟ ଉକ୍ତ ତଥ୍ୟ ପୋଷ୍ଟ୍ ହେବା ଉଚିତ । ଏଥିରେ ବ୍ୟତିକ୍ରମ ହେଲେ ନିର୍ବାଚନ କମିସନ୍ ରାଜନୈତିକ ଦଳମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିପାରିବେ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାଙ୍କୁ ପାଳନ କରାଯିବ ବୋଲି କହିଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଅନେକ ସମୟରେ ସରକାର ଜାଣିଶୁଣି ଦୋଷ ନଥାଇ ନେତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଫୌଜଦାରୀ ମାମଲା ରୁଜୁ କରୁଛନ୍ତି । ଯାହାର ଶୁଣାଣି ହୋଇପାରୁନାହିଁ ।

ଏପରି କ୍ଷେତ୍ରରେ ସଂପୃକ୍ତ ନେତାଙ୍କୁ କାହିଁକି ଟିକେଟ ଦିଆଗଲା କହିବା ଠିକ ହେବ୍ ନାହିଁ । ଏପଟେ ବିଜେପିର ବରିଷ୍ଠ ନେତା ଖାରବେଳ ସ୍ବାଇଁ କହିଛନ୍ତି ସୁପ୍ରିମ କୋର୍ଟ କମିଶନ ବସାନ୍ତୁ । ସମୟ ଧାର୍ଯ୍ୟ କରନ୍ତୁ ଯେଉଁଥିରେ ରାଜନେତାଙ୍କ ଅପରାଧ ମାମଲାର ଶୁଣାଣି ଜଲଦି ହୋଇପାରିବ ।

ନିର୍ବାଚନ ପ୍ରକ୍ରିୟାରେ ଅଧିକ ସ୍ବଚ୍ଛତା ଆଣିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ପଦକ୍ଷେପ ନେଇଛନ୍ତି । ୨୦୧୯ରେ ଲୋକସଭାକୁ ନିର୍ବାଚତ ହୋଇଥିବା ସଦସ୍ୟଙ୍କ ଭିତରୁ ୪୩ ପ୍ରତିଶତ ସଦସ୍ୟ ନାଁରେ ଅପରାଧିକ ମାମଲା ରହିଛି।

ଯାହା ୨୦୧୪ ତୁଳନାରେ ୨୬ ପ୍ରତିଶତ ବୃଦ୍ଧି ପାଇଛି। କେବଳ ବିଜେପିର ୧୧୬ ଜଣ ସଦସ୍ୟ ରହିଛନ୍ତି।

ସେପଟେ ଏଡିଆର ରିପୋର୍ଟ କହୁଛି ଓଡ଼ିଶା ବିଧାନସଭା ପାଇଁ ଲଢିଥିବା ୩୦ ପ୍ରତିଶତ ନେତାଙ୍କ ନାଁରେ ଅପରାଧିକ ମାମଲା ଥିଲା ।ଯେଉଁଥିରେ ୨୩ ପ୍ରତିଶତଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ଥିଲା ।
