ତିରୁପତି ପ୍ରସାଦ ଲଡୁରେ ପଶୁ ଚର୍ବି ପ୍ରସଙ୍ଗ, ଆଜି ସୁପ୍ରିମକୋର୍ଟରେ ଶୁଣାଣି

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ ୩୦/୦୯: ତିରୁପତି ଲଡୁରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗ । ଆଜି ସୁପ୍ରିମକୋର୍ଟରେ ମାମଲାର ହେବ ଶୁଣାଣି । କିଛି ଦିନ ସାରା ଦେଶରେ ଏହି ପ୍ରସଙ୍ଗକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିବାବେଳେ ମାମଲା ପହଞ୍ଚିଥିଲା ସର୍ବୋଚ୍ଚ ଅଦାଲତରେ । ଗୋଚର୍ବି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଓ ତିରୁମାଲା ତିରୁପତି ଦେବସ୍ଥାନମ୍ ବା ଟିଟିଡିର ପୂର୍ବତନ ଅଧ୍ୟକ୍ଷ ତଥା ଓ୍ୱାଇଏସଆର କଂଗ୍ରେସ ରାଜ୍ୟସଭା ସାଂସଦ ଓ୍ୱାଇଭି ସୁବା ରେଡ୍ଡୀ । 

ପ୍ରସାଦ ଲଡୁରେ ଗୋଚର୍ବି, ଘୁଷୁରି ଚର୍ବି ଓ ମାଛ ତେଲ ମିଶିଥିବା ନେଇ ରିପୋର୍ଟ ଆସିବା ପରେ ତତକାଳୀନ ଓ୍ବାଇଏସଆର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ । ଏହି ଘଟଣାରେ କୋର୍ଟ ନେତୃତ୍ୱାଧୀନ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ଦୁଇ ଆବେଦନାକାରୀ । 

ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କେ.ଭି. ବିଶ୍ୱନାଥନ ଏହି ମାମଲାର ଶୁଣାଣି କରିବେ । ନିଜ ପିଟିସନରେ ସୁବ୍ରଣ୍ୟମ ଦାବି କରିଛନ୍ତି ଯେ, ଲଡୁ ପ୍ରସ୍ତୁତ ଲାଗି ବ୍ୟବହୃତ ଘିଅ ସମ୍ପର୍କରେ ସବିଶେଷ ରିପୋର୍ଟ ଦାଖଲ ଲାଗି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ନିର୍ଦ୍ଦେଶ ଦିଆଯାଉ । ଏହା ସହ ସବିଶେଷ ଫରେନସିକ ରିପୋର୍ଟ ତଲବ କରାଯାଉ । ସେହିପରି ସୁବା ରେଡ୍ଡୀ ଦାବି କରିଛନ୍ତି, ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏସଆଇଟି ଜରିଆରେ ଅପମିଶ୍ରଣ ଘଟଣାର ତଦନ୍ତ ହେଉ । 

ଗତ ୨୮ ତାରିଖ ଶନିବାର ତିରୁପତି ମନ୍ଦିର ଗସ୍ତ ଲାଗି ଯୋଜନା କରିଥିବାବେଳେ ତାଙ୍କୁ ଅନୁମତି ଦିଆଯାଇ ନଥିଲା ବୋଲି ଅଭିଯୋଗ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ସେପଟେ ଆଜି ମାମଲାର ଶୁଣାଣି ଉପରେ ରହିଛି ସମସ୍ତଙ୍କ ନଜର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.