ଆଜି ସୁପ୍ରିମକୋର୍ଟରେ ଆଧାରର ବୈଧତା ସମ୍ପର୍କିତ ମାମଲାର ରାୟ ପ୍ରକାଶ ପାଇବ
26/09/2018 at 11:02 AM

ନୂଆଦିଲ୍ଲୀ ୨୬|୯: ଆଜି ସୁପ୍ରିମକୋର୍ଟରେ ଆଧାରର ବୈଧତା ସମ୍ପର୍କିତ ମାମଲାର ରାୟ ପ୍ରକାଶ ପାଇବ। ଦେଶର ନାଗରିକ ପରିଚୟ ଯାଞ୍ଚ ପାଇଁ ସରକାରଙ୍କ ଦ୍ବାରା ପ୍ରଚଳିତ ଆଧାର ନମ୍ବର ବାସ୍ତବରେ ନାଗରିକଙ୍କ ଗୋପନୀୟତା କ୍ଷୁର୍ଣ୍ଣ କରୁଥିବାରୁ ଏହାର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇ ମାମଲା ଦାୟର ହୋଇଥିଲା। ନାଗରିକଙ୍କ ସମ୍ମତି ବିନା ସେମାନଙ୍କ ଅଙ୍ଗୁଳି ଛାପ, ଆଖିର ସ୍କାନ୍ ଭଳି ଏକାଧିକ ବ୍ୟକ୍ତିଗତ ତଥ୍ୟ ହାସଲ କରାଯାଉଥିବା ଓ ଏହାର ଦୁରୁପଯୋଗ ହେଉଥିବା ଆବେଦନକାରୀ ଦର୍ଶାଇଥିଲେ। ଏହି ତଥ୍ୟ ପ୍ରଘଟ ହେବା ଦ୍ବାରା ନାଗରିକର ବ୍ୟକ୍ତିଗତ ଗୋପନୀୟତା ଅଧିକାର କ୍ଷୁର୍ଣ୍ଣ ହେଉଥିବାର ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟରେ ୩୦ଟି ଆବେଦନ ଉପରେ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏହା ଉପରେ ମେ ୧୦ରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ସେହିଭଳି ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସରକାରୀ ଚାକିରିଆଙ୍କୁ ସଂରକ୍ଷଣ ଭିତ୍ତିକ ପଦୋନ୍ନତି ପ୍ରଦାନ ଉପରେ ପୁନଃବିଚାର ପାଇଁ ହୋଇଥିବା ଆବେଦନ ଉପରେ ମଧ୍ୟ ରାୟ ପ୍ରକାଶ ପାଇବ। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସମ୍ବିଧାନ ପୀଠରେ ଏହି ମାମଲାର ଶୁଣାଣି ଅଗଷ୍ଟ ୩୦ରେ ଶେଷହୋଇ ରାୟ ସଂରକ୍ଷିତ ଥିଲା।