ସାବରିମାଳା ମନ୍ଦିର ବିବାଦ ପ୍ରସଙ୍ଗ : ଆଜି ସୁପ୍ରିମକୋର୍ଟରେ ସାବରିମାଳା ରାୟର ସମୀକ୍ଷା ଆବେଦନ ଉପରେ ହେବ ଶୁଣାଣି

Published By : Prameya-News7 Bureau | October 23, 2018 IST

ନୂଆଦିଲ୍ଲୀ ୨୩|୧୦: କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିରକୁ ସବୁ ବୟସର ମହିଳାଙ୍କ ପ୍ରବେଶ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟର ସମୀକ୍ଷା ଲାଗି ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ହେବ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ବିଚାରପତି ଏସ.କେ. କାଉଲଙ୍କ ପୀଠ ବିଚାର କରିବେ । ଜାତୀୟ ଆୟପ୍ପା ଭକ୍ତ ସଂଘ ପକ୍ଷରୁ ଆଇନଜୀବୀ ମଥ୍ୟୁସ ଜେ. ନେଦୁମ୍ପାରାଙ୍କ ସମେତ ଅନ୍ୟ କିଛି ଲୋକ ତଥା ସଂସ୍ଥା  ସୁପ୍ରିମକୋର୍ଟରେ ଏ ନେଇ ୧୯ଟି ସମୀକ୍ଷା ଆବେଦନ ହୋଇଛି । ଏସବୁର ଶୁଣାଣି ପାଇଁ ଆଜି ଦିନ ଧାର୍ଯ୍ୟ କରିଛନ୍ତି ପୀଠ । ସେପଟେ ସୋମବାର ସାବରିମାଳାକୁ ପ୍ରଥମ ପର୍ଯ୍ୟାୟ  ତୀର୍ଥଯାତ୍ରା ଶେଷ ହୋଇଥିବାବେଳେ ମନ୍ଦିରର ଦ୍ବାର ବନ୍ଦ କରିଦିଆଯାଇଛି । ଏଠାରେ ସମସ୍ତ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିଭିନ୍ନ ଧର୍ମୀୟ ସଂଗଠନ ବିରୋଧ କରିଛନ୍ତି । ସାବରିମାଳାର ଆରାଧ୍ୟ ଭଗବାନ ଆୟପ୍ପାଙ୍କ ଭକ୍ତମାନେ ଜଗିରହି ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ବାରଣ କରିଛନ୍ତି । ଏପରି ପରିସ୍ଥିତିରେ ପୋଲିସ ମଧ୍ୟ ହାତ ଟେକି ଦେଇଛି । ଅନ୍ୟପଟେ ମହିଳା ବଳପୂର୍ବକ ପ୍ରବେଶ କଲେ ପୂଜା ବନ୍ଦ କରିଦେବେ ବୋଲି ପଣ୍ଡଲମ ରାଜ ପରିବାର ଓ ତନ୍ତ୍ରି ପରିବାର ଧମକ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.