ସାର୍ବଜନୀନ ସ୍ଥାନରେ ଦୁର୍ବ୍ୟବହାର ହେଲେ ହିଁ ଲାଗୁ ହେବ ଏସସି/ଏସଟି ଆକ୍ଟ: ହାଇକୋର୍ଟ
23/06/2022 at 8:31 PM

ବେଙ୍ଗାଲୁରୁ: ସାର୍ବଜନୀନ ସ୍ଥାନରେ ଜାତିସୂଚକ ଦୁର୍ବ୍ୟବହାର ହେଲେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି(ଅତ୍ୟାଚାର ନିବାରଣ) ଆକ୍ଟ ଲାଗୁ ହେବା ଉଚିତ୍। ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ। ଏଥିସହ ଅଦାଲତ ବିଚାରଧୀନ ମାମଲାକୁ ରଦ୍ଦ କରିଛନ୍ତି। ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ, ବେସମେଣ୍ଟରେ ତାଙ୍କୁ ଜାତି ନାଁରେ ଗାଳିଗୁଲଜ କରାଯାଇଥିଲା। ସେହି ସମୟରେ ତାଙ୍କ ସହକର୍ମୀ ଉପସ୍ଥିତ ଥିଲେ। ଅଦାଲତ କହିଛନ୍ତି ବେସମେଣ୍ଟ ସାର୍ବଜନୀନ ସ୍ଥାନ ହୋଇ ପାରିବ ନାହିଁ।
କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଏମ ନାଗପ୍ରସନ୍ନା ଜୁନ ୧୦ରେ ନିଜ ନିଷ୍ପତ୍ତିରେ କହିଛନ୍ତି, କୋଠାର ବେସମେଣ୍ଟ ସାର୍ବଜନୀନ ସ୍ଥାନ ନଥିଲା ଏବଂ କେବଳ ସେହି ଲୋକ ହିଁ ଦାବି କରୁଛନ୍ତି ଯେଉଁମାନେ ଆବେଦନକାରୀ ମୋହନ ଏବଂ ଘରର ମାଲିକ ଜୟକୁମାର ଆର ନାୟରଙ୍କ ସହକର୍ମୀ ଥିଲେ। ନାୟରଙ୍କ ରିତେଶ ପିୟାସଙ୍କ ସହିତ କନଷ୍ଟ୍ରକ୍ସନକୁ ନେଇ ବିବାଦ ଥିଲା ଏବଂ ସେ ଭବନ ନିର୍ମାଣ କାମ ବିରୋଧରେ ରହିତାଦେଶ ଲଗାଇଥିଲେ।
ମାମଲା କଣ ଥିଲା
ସୂଚନା ମୁତାବକ ଏହି ଘଟଣା ୨୦୨୦ର। ଅଭିଯୋଗ ଅନୁଯାୟୀ କୋଠାର ନିର୍ମାଣ ସମୟରେ ରିତେଶ ପିୟାସ ମୋହନ ବିରୋଧରେ ଜାତିସୂଚକ ଶବ୍ଦର ବ୍ୟବହାର କରିଥିଲେ। ସେହି ସମୟରେ ମୋହନ ଏବଂ ତାଙ୍କ ସହକର୍ମୀ ନାୟର ଥିଲେ। ଜୟକୁମାର ଆର ନାୟର ହେଉଛନ୍ତି କୋଠାର ମାଲିକ। କନଷ୍ଟ୍ରକ୍ସନକୁ ନେଇ ପିୟାସଙ୍କ ତାଙ୍କର ବିବାଦ ଚାଲିଥିଲା। ପିୟାସ ନାୟରଙ୍କ କନଷ୍ଟ୍ରକ୍ସନ ବିରୋଧରେ ରହିତାଦେଶ ଆଣିବାରେ ସଫଳ ହୋଇଥିଲା। ପରେ ବିବାଦ ଅଧିକ ଘନେଇଥିଲା। କଥା ଯାଇ କୋର୍ଟରେ ପହଞ୍ଚିଥିଲା।