ନୋଟବନ୍ଦୀକୁ ଚ୍ୟାଲେଞ୍ଜ କରି ଦାୟର ପିଟିସନ ଉପରେ ରାୟ ସଂରକ୍ଷିତ ରଖିଲେ SC,  କେନ୍ଦ୍ର ଏବଂ RBIକୁ ମାଗିଲେ ଫାଇଲ୍

Published By : Prameya-News7 Bureau | December 07, 2022 IST

ନୂଆଦିଲ୍ଲୀ:  ଛଅ ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିଆଯାଇଥିବା ନୋଟବନ୍ଦୀ ନିଷ୍ପତ୍ତି ବିରୋଧରେ ଆଗତ ପିଟିସନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାର ୨୦୧୬ରେ ନୋଟବନ୍ଦୀ ଘୋଷଣା କରି ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ଉପରେ ରୋକ୍ ଲଗାଇଥିଲେ। ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ନୋଟବନ୍ଦୀ ନିଷ୍ପତ୍ତି ଉପରେ ସଂପର୍କିତ ଫାଇଲ୍ ମାଗିଛନ୍ତି।

ଜଷ୍ଟିସ ଏସ ଅବଦୁଲ ନଜୀରଙ୍କ ଅଧ୍ୟକ୍ଷତାରେ  ବିଆର ଗଭଇ, ଏଏସ ବୋପାନ୍ନା, ଭି ରାମସୁବ୍ରମଣ୍ୟମ ଏବଂ ବିଭି ନାଗରତ୍ନାଙ୍କୁ  ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରି ସମସ୍ତ ପକ୍ଷଙ୍କୁ ଡିସେମ୍ବର ୧୦ ସୁଦ୍ଧା ଲିଖିତ ଜବାବ ଦେବାକୁ କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ କହିଛନ୍ତି, ସମସ୍ତ ତଥ୍ୟ ଏକ ଜଉମୁଦ ଲଫାପାରେ ପ୍ରଦାନ କରାଯିବ।

ପୀଠ କେନ୍ଦ୍ର ସରକାର ଏବଂ ଆରବିଆଇକୁ ତାଗିଦ୍ କରି କହିଛନ୍ତି, ଆର୍ଥିକ ନୀତି ମାମଲାରେ ନ୍ୟାୟିକ ସମୀକ୍ଷାର ପରିଧିର ଅର୍ଥ ଏହା ନୁହେଁ ଯେ, ଅଦାଲତ ହାତରେ ହାତ ବାନ୍ଧି ବସିଯିବେ। ସରକାର କେଉଁଭଳି ନିର୍ଣ୍ଣୟ ନେଉଛନ୍ତି ଏହାର କେବେ ବି ଯାଞ୍ଚ ଖୋଳତାଡ କରାଯାଇ ପାରିବ ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି।

{"id":718443,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ, ଉଚ୍ଚତମ ନ୍ୟାୟାଳୟ ୨୦୧୮ ନଭେମ୍ବର ୮ରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷିତ ନୋଟବନ୍ଦୀକୁ ଚ୍ୟାଲେଞ୍ଜ କରି ଆଗତ ୫୮ ପିଟିସନ୍ ଉପରେ ଶୁଣାଣି କରୁଥିଲେ। ଏହି ସମୟରେ ଆରବିଆଇ କହିଥିଲା ଯେ, ଆମ ସମ୍ମୁଖରେ ଅସ୍ଥାୟୀ ସମସ୍ୟା ରହିଥିଲା ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଏମିତି ନିଷ୍ପତ୍ତି ନେବା ଜରୁରୀ ଥିଲା। ଯଦ୍ଵାରା ଉତ୍ପନ ସମସ୍ୟାର ସମାଧାନ କରାଯାଇ ପାରିବ।

ଆବେଦନକାରୀଙ୍କ ଯୁକ୍ତି ଏହା ଯେ, ନୋଟବନ୍ଦୀ ସମୟରେ ସାଧାରଣ ଜନତାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏହାକୁ ଖଣ୍ଡନ କରି ଆରବିଆଇ କହିଛି ଯେ, ଅର୍ଥବ୍ୟବସ୍ଥାରେ ପୁନଃ ମୁଦ୍ରା ପ୍ରବାହକୁ ବଢାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.