ଲାଲୁଙ୍କୁ ଆଶ୍ବସ୍ତି, ସିବିଆଇର ଯାଚିକା ଉପରେ ନୋଟିସ୍‌ ଜାରି କରିବାକୁ ମନା କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | March 27, 2023 IST

ନୂଆଦିଲ୍ଲୀ, ୨୭/୦୩: ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଆଶ୍ବସ୍ତି। ଲାଲୁଙ୍କ ଜାମିନ୍‌କୁ ଚାଲେଞ୍ଜ କରି ନେଇ ସିବିଆଇର ଯାଚିକା ଉପରେ ନୋଟିସ୍‌ ଜାରି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ସୂଚନାଥାଉ, ଝାଡଖଣ୍ଡର ଡୋରଣ୍ଡା କୋଷାଗାର ମାମଲାରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଜାମିନ୍‌କୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ସିବିଆଇର ଯାଚିକା କରିଥିଲା। ଯାହା ଉପରେ ନୋଟିସ୍‌ ଜାରି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ ଏବଂ ଏହାକୁ ବିଚାରଧୀନ ତାଲିକାରେ ସ୍ଥାନିତ କରିଛନ୍ତି। ଏହି ମାମଲାରେ ଲାଲୁଙ୍କୁ ପାଞ୍ଚ ବର୍ଷର ଜେଲ୍‌ ଦଣ୍ଡାଦେଶ ହୋଇଥିଲା।

ତେବେ ବିଚାରପତି ଅଜୟ ରସ୍ତୋଗୀ ଏବଂ ବିଚାରପତି ବେଲା ଏମ ତ୍ରିବେଦୀଙ୍କ ପୀଠ ଏହି ମାମଲାରେ ନୋଟିସ୍‌ ଜାରି କରିବାକୁ ମନା କରିଛନ୍ତି । ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୂ ଏବଂ ଓକିଲ ରାଜନ ନାୟର ଏହି ମାମଲାରେ ନୋଟିସ୍‌ ଜାରି କରିବାକୁ ଦାବି କରିଥିଲେ। କିନ୍ତୁ ପୀଠ ଏହି ମାମଲାକୁ ଏକାସାଙ୍ଗରେ ଶୁଣାଣି କରିବେ ଏବଂ ନୋଟିସ୍‌ ଜାରି କରିବାକୁ ଇଚ୍ଛୁକ ନଥିବା କହିଥିଲେ। ସିବିଆଇ ଏହାର ଯାଚିକାରେ ଲାଲୁ ଯାଦବଙ୍କୁ ଝାଡଖଣ୍ଡ ହାଇକୋର୍ଟଙ୍କ ୨୨ ଏପ୍ରିଲ ୨୦୨୨ରେ ଲାଲୁଙ୍କୁ ଦେଇଥିବା ଜାମିନ୍‌ ଆଦେଶକୁ ଚାଲେଞ୍ଜ କରିଥିଲା। ୭୪ ବର୍ଷୀୟ ଲାଲୁ ଯାଦବ ଚାରା ଘୋଟାଲର ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଖରାପ ସ୍ବାସ୍ଥ୍ୟାବସ୍ଥା କାରଣରୁ ଏ​‌ବେ ଜାମିନ୍‌ରେ ଅଛନ୍ତି।

ଲାଲୁ ଯାଦବଙ୍କୁ ଡୋରଣ୍ଡା କୋଷାଗାରରୁ ୧୩୯ କୋଟିରୁ ଅଧିକ ଘୋଟାଲା ସହ ଜଡ଼ିତ ପଞ୍ଚମ ଚାରା ଘୋଟାଲା ମାମଲାରେ ରାଞ୍ଚିର ଏକ ସ୍ବତନ୍ତ୍ର କୋର୍ଟ ସିବିଆଇ କୋର୍ଟ ପାଞ୍ଚ ବର୍ଷର ଜେଲ୍‌ ଦଣ୍ଡ ଶୁଣାଇଥିଲେ ଏବଂ ୬୦ ଲକ୍ଷର ଜରିମାନା ଲଗାଇଥିଲେ। ତେବେ ସୁପ୍ରିମକୋର୍ଟ ସୋମବାର ସିବିଆଇର ଯାଚିକାକୁ ଏଜେନ୍ସୀର ଅନ୍ୟ ଯାଚିକା ସହ ଯୋଡ଼ିଛନ୍ତି ଯେଉଁଥିରେ ଯାଦବକୁ ଜାମିନ୍‌ ଦେବାକୁ ନେଇ ହାଇକୋର୍ଟଙ୍କ ୨୦୧୯ ଆଦେଶକୁ ଚାଲେଞ୍ଜ କରିଥିଲା। ୧୨ ଜୁଲାଇ ୨୦୧୯ ରେ ହାଇକୋର୍ଟ ଦେବଘର କୋଷାଗାରରୁ ୮୯.୨୭ ଲକ୍ଷ ଟଙ୍କାର ଠକେଇ ସହ ଜଡ଼ିତ ଚାରା ଘୋଟାଲ ମାମଲାରେ ଯାଦବଙ୍କୁ ଏହି ଆଧାରରେ ଜାମିନ୍‌ ମିଳିଥିଲା ଯେ ସେ ସାଢ଼େ ତିନି ବର୍ଷର ଜେଲ୍‌ ଦଣ୍ଡ ଭୋଗିସାରିଛନ୍ତି।

ସୂଚନାଯୋଗ୍ୟ, ଲାଲୁ ଯାଦବଙ୍କୁ ଝାଡ଼ଖଣ୍ଡର ଡୋରଣ୍ଡା, ଦେବଘର, ଦୁମକା ଏବଂ ଚାଇବାସା କୋଷାଗାରରୁ ଅବୈଧ ଭାବରେ ଟଙ୍କା କାଢ଼ିବା ସହ ଜଡ଼ିତ ପାଞ୍ଚ ଚାରା ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଖରାପ ସ୍ବାସ୍ଥ୍ୟାବସ୍ଥା କାରଣୁ ସେ ଜାମିନ୍‌ରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.