ସୁପ୍ରିମକୋର୍ଟ ରଦ୍ଦ କଲେ ରାଜ୍ୟ ସରକାରଙ୍କ ଆଦେଶ, କମ୍ପାନୀକୁ ଦେବାକୁ ପଡିବ ଶ୍ରମିକଙ୍କ ଓଭରଟାଇମର ମଜୁରୀ
1/10/2020 at 4:06 PM

ନୂଆଦିଲ୍ଲୀ ୦୧।୧୦: ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ଏକ ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ କମ୍ପାନୀ ଶ୍ରମିକଙ୍କୁ ବିନା ଟଙ୍କାରେ ଓଭରଟାଇମ୍ କାମ କରାଇ ପାରିବେ। ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି ପରେ ରାୟ ଶୁଣାଇ କହିଛନ୍ତି କରୋନା ମହାମାରୀ ଓ ଲକ୍ଡାଉନ୍ କାରଣରୁ ବିଗିଡିଥିବା ଅର୍ଥବ୍ୟବସ୍ଥା ଶ୍ରମିକଙ୍କୁ ଉଚିତ୍ ମଜୁରୀ ନଦେବାର କାରଣ ହୋଇ ପାରିବ ନାହିଁ। ଏଥିସହ ଅଦାଲତ ଏପ୍ରିଲ ୧୯ରୁ ଜୁଲାଇ ୨୦ ପର୍ଯ୍ୟନ୍ତ ଓଭରଟାଇମ୍ର ମଜୁରୀ ଶ୍ରମିକଙ୍କୁ ଦେବାକୁ ଆଦେଶ ଦେଇଛନ୍ତି।
ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ କହିଛନ୍ତି ଲକ୍ଡାଉନ୍ ସମୟରେ ଶ୍ରମିକଙ୍କୁ ଅଦ୍ଭୁତପୂର୍ଣ୍ଣ ସାମାଜିକ ଓ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଛି। ତେଣୁ ଏମିତି ସମୟରେ ଶ୍ରମିକଙ୍କ ଦ୍ଵାରା ଓଭରଟାଇମ୍ କରାଯାଇ ମଜୁରୀ ନଦେବା ଠିକ୍ ହେବ ନାହିଁ।
ଗୁଜରାଟ ସରକାର ଏପ୍ରିଲ ୧୭ରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ କୁହାଯାଇଥିଲା ଯେ, ଗୁଜରାଟରେ ଶ୍ରମିକଙ୍କୁ ୬ ଘଣ୍ଟା ଅନ୍ତରାଳ ପରେ ୩୦ ମିନିଟ୍ ବିରତି ସହିତ ୧୨ ଘଣ୍ଟା କାମ କରାଯାଇ ପାରିବ। ଓଭରଟାଇମ କାମ କଲେ ମଧ୍ୟ ସାଧାରଣ ମଜୁରୀ ଦିଆଯିବ। ଫ୍ୟାକ୍ଟ୍ରି ଅଧିନିୟମର ଧାରା ୫ ଆଧାରରେ ଏହି ଅଧିସୂଚନା ଜାରି କରାଯାଇଥିଲା। ଏହି ଧାରାରେ ଫ୍ୟାକ୍ଟ୍ରି ଓ କାରଖାନାକୁ କିଛି କୋହଳ ପ୍ରଦାନ କରିଥାଏ। କମ୍ପାନୀ ନିଜ ଇଚ୍ଛା ହେଲେ ଓଭରଟାଇମ୍ର ମଜୁରୀ ଦେବେ ନହେଲେ ନାହିଁ।
ଅଦାଲତ କହିଛନ୍ତି କରୋନା ମହାମାରୀର କାରଣ ଦର୍ଶାଇ ସମସ୍ତ କାରଖାନକୁ କୋହଳ ଦେବା ପାଇଁ ଧାରା ୫ ଲାଗୁ କରାଯାଇ ପାରିବ ନାହିଁ। ଭାରତର ସୁରକ୍ଷାକୁ ବିପଦରେ ପକାଉଥିବା ମହାମାରୀକୁ ସାର୍ବଜନୀନ ଜରୁରୀକାଳୀନ କୁହାଯିବ ନାହିଁ।