ମଦ କିଣିଲା ବେଳେ ଲୋକଙ୍କ ବୟସ ଯାଞ୍ଚ ପାଇଁ ଆସୁ କଠୋର ନୀତି, ଆବେଦନ ଉପରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | November 11, 2024 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ମଦ କିଣୁଥିବା ବ୍ୟକ୍ତିଙ୍କ ବୟସ ଯାଞ୍ଚ ପାଇଁ ଦାବି କରୁଥିବା ଆବେଦନର ଶୁଣାଣି କରିଛନ୍ତି । ସର୍ବୋଚ୍ଚ ଅଦାଲତ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ସୁପ୍ରିମକୋର୍ଟରେ ଦାଖଲ ଆବେଦନରେ ମଦ କିଣିବା ପାଇଁ ଲୋକଙ୍କ ବୟସ ଧାର୍ଯ୍ୟ ଏବଂ ଏହା ସହ ଜଡ଼ିତ ଆଇନକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଦାବି କରାଯାଇଛି । ଆବେଦନରେ ମଦ ଦୋକାନରେ ବୟସ ଯାଞ୍ଚ ପାଇଁ କଠୋର ନୀତି ଅଣାଯିବା ଦରକାର ବୋଲି କୁହାଯାଇଛି ।

ଆବେଦନରେ କୁହାଯାଇଛି ଯେ ଭିନ୍ନ-ଭିନ୍ନ ରାଜ୍ୟର ଅବକାରୀ ନୀତିରେ ବୟସକୁ ନେଇ ଆଇନ ରହିଛି । ଏହା ଅଧିନରେ ଏକ ଧାର୍ଯ୍ୟ ସୀମା ଯାଏ ଲୋକଙ୍କ ମଦ କିଣିବା ବେଆଇନ ଅଟେ । କିନ୍ତୁ ମଦ ଦୋକାନରେ ଏହାର ଯାଞ୍ଚ ପାଇଁ କୌଣସି ସଠିକ୍ ପ୍ରଣାଳୀ ନାହିଁ ।

ଜଷ୍ଟିସ୍ ଭିଆଇ ଗଭଇ ଏବଂ ଜଷ୍ଟିସ୍ କେଭି ବିଶ୍ୱାନଥଙ୍କ ଖଣ୍ଡପୀଠ ଏହି ଯାଚିକା ଶୁଣାଣି କରିଛନ୍ତି । ଆବେଦନରେ ଲିକର୍ ହୋମ୍ ଡେଲିଭରିକୁ ବିରୋଧ କରାଯାଇଛି । ଏହାଦ୍ୱାରା କମ ବୟସର ଲୋକଙ୍କ ମଧ୍ୟରେ ମଦ ପିଇବା ବୃଦ୍ଧି ପାଉଛି ବୋଲି କୁହାଯାଇଛି । ଏନଜିଓ କମ୍ୟୁନିଟି ଏଗନେଷ୍ଟ ଡ୍ରଙ୍କେନ ଡ୍ରାଇଭିଂର ଓକିଲ ଯୁକ୍ତି ରଖିଛନ୍ତି ଯେ ମଦ ଦୋକାନ, ବାର, ପବ୍ ଆଦିରେ ଲୋକଙ୍କ ବୟସ ଯାଞ୍ଚ ପାଇଁ ପର୍ଯ୍ୟାପ୍ତ ପ୍ରଣାଳୀ ନାହିଁ । ଏଥିପାଇଁ ଏକ ମଜଭୁତ ନୀତି ମଦ ପିଇ ଗାଡ଼ି ଚଲାଇବା ଘଟଣାକୁ ରୋକିବ ଏବଂ କମ ବୟସର ଲୋକଙ୍କୁ ମଦ ଦୋକାନଠାରୁ ଦୂରରେ ରଖିବ ।

ଆବେଦନକାରୀ କରିଛନ୍ତି ଯେ ଯେଉଁମାନେ ନାବାଳକଙ୍କୁ ମଦ ବିକ୍ରି କରୁଛନ୍ତି, ମଦ ପିଇବାକୁ ଦେଉଛନ୍ତି, ସେମାନଙ୍କ ଉପରେ ୫୦,୦୦୦ ଜରିମାନା କିମ୍ୱା ତିନି ମାସର ଜେଲ ଦଣ୍ଡ ପ୍ରାବଧାନ ରହିବା ଦରକାର । ଏହି ଆବେଦନରେ କେନ୍ଦ୍ର ସରକାର, ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.