ବିବିସିକୁ ଭାରତରେ ବ୍ୟାନ୍ ଉପରେ ହୋଇଥିବା ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ, କହିଲେ ଏହା ସଂପୂର୍ଣ୍ଣ ଭୁଲ୍
10/02/2023 at 2:31 PM

ନୂଆଦିଲ୍ଲୀ, ୧୦/୦୨: ଭାରତରେ ବିବିସିର କାମ କରିବା ଉପରେ ରୋକ୍ ଲଗାଇବା ନେଇ ହୋଇଥିବା ଜନସ୍ବାର୍ଥ ମାମଲା (ପିଆଇଏଲ) କୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏହି ଭଳି ଦାବି କରିବା ସଂପୂର୍ଣ୍ଣ ଭାବରେ ଭୁଲ୍ ଏବଂ ତର୍କସମ୍ମତ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟ ବେଞ୍ଚ ସମ୍ମୁଖରେ କୁହାଯାଇଥିଲା ଯେ ବିବିସି ଏବଂ ବିବିସି ଇଣ୍ଡିଆ ଦେଶରେ ପ୍ରସାରଣ ଉପରେ ରୋକ୍ ଲଗାଯିବା ଦରକାର। ବିବିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଡକ୍ୟୁମେଣ୍ଟ୍ରି ପ୍ରସ୍ତୁତ କରିଥିଲା। ଯାହା ଅଶାନ୍ତି ଉତ୍ପନ୍ନ କରିବାର ସମ୍ଭାବନା ରହିଥିଲା। ଏମିତିରେ ବିବିସିର ପ୍ରସାରଣ ଉପରେ ହିଁ ରୋକ୍ ଲଗାଯିବା ଦରକାର ବୋଲି କୁହାଯାଇଇଥିଲା।
ଆଉ ଭାରତରେ ବିବିସି ଉପରେ ବ୍ୟାନ୍ ପାଇଁ ହୋଇଥିବା ଯାଚିକାର ଶୁଣାଣି କରି ବିଚାରପତି ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ୍ ଏମ.ଏମ. ସୁନ୍ଦରେଶଙ୍କ ବେଞ୍ଚ ଶୁଣାଣି ଏହି ରାୟ ଦେଇଛନ୍ତି। ଏହି ଜନସ୍ବାର୍ଥ ମାମଲା ହିନ୍ଦୁ ସେନା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ତରଫରୁ କରାଯାଇଥିଲା।
ଯାଚିକା କର୍ତ୍ତା କହିଥିଲେ ଏନଆଇଏକୁ ଆଦେଶ ଦିଆଯିବା ଦରକାର ସେ ବିବିସିର ବିରୋଧରେ ଯାଞ୍ଚ କରୁ। ସେ କହିଥିଲେ ଭାରତ ବିରୋଧୀ ଏବଂ ଭାରତ ସରକାର ବିରୋଧୀ ରିପୋର୍ଟିଂ, ଡକ୍ୟୁମେଣ୍ଟ୍ରିର ପ୍ରସାରଣ କିଭଳି ଭାବରେ କରାଯାଇପାରିବ। ସେ କହିଥିଲେ ବିବିସି ଭାରତରେ ଏହାର ଏଜେଣ୍ଡା ଚଳାଉଛି ଏବଂ ତାହା ଉପରେ ରୋକ୍ ଲଗାଇବା ଦରକାର। ୨୦୧୪ ରୁ ଭାରତ ଦ୍ରୁତ ଭାବରେ ଆର୍ଥିକ ଶକ୍ତିରେ ପରିଣତ ହେଉଛି । ଭାରତ ବିରୋଧୀ ଶକ୍ତିଙ୍କୁ ଏହି କଥା ହଜମ ହେଉନାହିଁ। ସେଥିପାଇଁ ଏଭଳି ଡକ୍ୟୁମେଣ୍ଟ୍ରି ପ୍ରସ୍ତୁତ କରାଯାଇଛି।
ରିପୋର୍ଟ ଅନୁଯାୟୀ, ବେଞ୍ଚ କହିଥିଲେ ଏଭଳି ପ୍ରଶ୍ନ କିପରି ଉଠାଯାଇପାରିବ। ଜଜ୍ କହିଥିଲେ ଯେ ଆପଣ ଆମକୁ ସଂପୂର୍ଣ୍ଣ ଭାବରେ ସେନ୍ସରସିପ୍ ଲାଗୁ କରିବା କଥା କହୁଛନ୍ତି। ଏହା କ’ଣ।
ସୂଚନାଯୋଗ୍ୟ, ପୂର୍ବରୁ ସରକାରଙ୍କ ତରଫରୁ ଏବଂ ବିବିସି ଡକ୍ୟୁମେଣ୍ଟ୍ରି ଉପରେ ବ୍ୟାନ୍ ଲଗାଯାଇଛି ଆଉ ସୁପ୍ରିମକୋର୍ଟ ଏହା ଉପରେ ଜବାବ ମାଗିଛନ୍ତି। ଅବଶ୍ୟ ତତ୍କାଳ ବ୍ୟାନ୍ ହଟାଇବାକୁ ମଧ୍ୟ ମନା କରିଥିଲେ।