ଓଡିଶା ସମେତ ୪ ହାଇକୋର୍ଟରେ ବିଚାରପତି ଭାବେ ପଦୋନ୍ନତି ଦେବାକୁ ୧୬ ଜଣଙ୍କ ନାଁ ପ୍ରସ୍ତାବ ରଖିଲେ ସୁପ୍ରିମକୋର୍ଟ କଲେଜିୟମ

Published By : Prameya-News7 Bureau | September 30, 2021 IST

ନୂଆଦିଲ୍ଲୀ ୩୦/୦୯ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌. ଭି. ରମଣାଙ୍କ ନେତୃତ୍ବାଧିନ କଲେଜିୟମ, ୧୬ ଜଣ ବିଚାରପତି ଭାବେ ପଦୋନ୍ନତି ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଓଡିଶା, ବମ୍ବେ, ଗୁଜୁରାଟ ଏବଂ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ପାଇଁ ୧୬ ଜଣ ବିଚାରପତିଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନ ବିଚାରପତି ।

ଏ ନେଇ ବୁଧବାର ଅନୁଷ୍ଠିତ ବୈଠକରେ, ୧୬ ଜଣଙ୍କ ନାଁ କୁ ସୁପ୍ରିମକୋର୍ଟ କଲେଜିୟମ ପ୍ରସ୍ତାବ ଦେଇଥିବା ବେଳେ ୬ ଜଣ ଜୁଡିସିଆଲ ଅଫିସର ଏବଂ ୧୦ ଜଣ ଆଡଭୋକେଟଙ୍କୁ ପଦୋନ୍ନତି ଦିଆଯିବ । ଆପେକ୍ସ କୋର୍ଟ ଓ୍ବେବ୍‌ସାଇଟ୍‌ରେ ଜାରି ହୋଇଥିବା ତଥ୍ୟ ଅନୁସାରେ, ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇଁ ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ସେଖର ସାହୁ ଏବଂ ଜୁଡିସିଆଲ ଅଫିସର ରାଧା କ୍ରିଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ରଙ୍କୁ ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମ ପ୍ରସ୍ତାବ ରଖିଛନ୍ତି ।

ସେହିଭଳି ଏ ଏଲ୍‌ ପାନ୍‌ସାରେ, ଏସ୍‌ ସି ମୋରେ, ୟୁ ଏସ୍‌ ଯୋଶୀ-ଫାଲ୍‌କେ ଏବଂ ବି ପି ଦେଶପାଣ୍ଡେଙ୍କୁ ବମ୍ବେ ହାଇକୋର୍ଟରେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ପ୍ରସ୍ତାବ ରଖିଛନ୍ତି । ଗୁଜୁରାଟ ହାଇକୋର୍ଟ ପାଇଁ ମୌନ ମନୀଷ ଭଟ୍ଟ, ସମୀର ଜେ ଡାଭେ, ହେମନ୍ତ ଏମ୍‌ ପ୍ରାଚ୍ଛକ୍‌, ସନ୍ଦୀପ ଏନ୍‌ ଭଟ୍ଟ, ଅନିରୁଦ୍ଧ ପ୍ରଦ୍ୟୁମ୍ନ ମୟୀ, ନୀରଲ ରଶ୍ମୀକାନ୍ତ ହେମେଟ୍ଟା ଏବଂ ନିଶା ମହେନ୍ଦ୍ରଭାଇ ଠାକୋରେଙ୍କୁ ନିଯୁକ୍ତି ଦିଆଯିବ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପାଇଁ ସନ୍ଦୀପ ମୌଡିଗିଲଙ୍କ ନାଁ କୁ ୨୦୨୧ ସେପ୍ଟେମ୍ବର ୨୯ ତାରିଖରେ ପଦୋନ୍ନତି ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କଲେଜିୟମ ବୈଠକ​ରେ ନିଷ୍ପତ୍ତି ହୋଇଛି ।  

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସମେତ ଜଷ୍ଟିସ୍‌ ୟୁ ୟୁ ଲଳୀତ ଏବଂ ଏ ଏମ୍‌ ଖାନଓ୍ବିଲକରଙ୍କୁ ନେଇ ଗଠିତ କଲେଜିୟମ ହାଇକୋର୍ଟଗୁଡିକ ବିଚାରପତିଙ୍କ ନାଁ ପ୍ରସ୍ତାବ ରଖିଥି​‌ଲେ । ଦୀର୍ଘଦିନ ହେଲା ଖାଲି ପଡିଥିବା ପଦବୀଗୁଡିକୁ ପୂରଣ କରିବା ଦିଗରେ ସୁପ୍ରିମକୋର୍ଟ କଲେଜିୟମ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରମଣା ବିଭିନ୍ନ ହାଇକୋର୍ଟ ପାଇଁ ପ୍ରାୟ ୧୦୦ ଜଣଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଦେଶର ମୋଟ ୨୫ ହାଇକୋର୍ଟରେ ମୋଟ ୧୦୮୦ ଜଣ ଜଜ୍‌ ପାଇଁ ସ୍ଥାନ ଥିବା ବେଳେ ମେ ୧ ତାରିଖ ୨୦୨୧ ସୁଦ୍ଧା ମାତ୍ର ୪୨୦ ଜଣ ହିଁ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.