ନିର୍ଭୟା ମାମଲା – କେନ୍ଦ୍ରର ଆବେଦନ ଉପରେ ଦୋଷୀମାନଙ୍କୁ ଶୁକ୍ରବାର ସୁଦ୍ଧା ଜବାବ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ
13/02/2020 at 1:03 PM

ନୂଆଦିଲ୍ଲୀ ୧୩।୦୨ – ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀମାନଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ ଆବେଦନ କରାଯାଇଛି । ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଆସନ୍ତା କାଲି ଜବାବ ଦାଖଲ କରିବା ପାଇଁ ଦୋଷୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ମାମଲାରେ ଶୁକ୍ରବାର ଦିନ ପୁଣି ଶୁଣାଣୀ ହେବ ।

ଏବେ କେବଳ ଦୋଷୀ ପବନ ପାଖରେ ଆଇନ ଗତ ବିକଳ୍ପ ବାକି ଅଛି । ମାତ୍ର ଏହି କାରଣରୁ ଅନ୍ୟ ଦୋଷୀମାନଙ୍କୁ ଫାଶୀ ହୋଇ ପାରୁ ନାହିଁ । ପୂର୍ବରୁ ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଦୋଷୀମାନଙ୍କୁ ନୋଟିସ ଜାରି କରିଥିଲେ । ଏବେ ଅଦାଲତ ଅଲଗା ଅଲଗା ଭାବେ ଦୋଷୀମାନଙ୍କୁ ଫାଶୀ ଦିଆଯାଇ ପାରିବ କି ନାହିଁ ସେ ବିଷୟରେ ନିର୍ଣ୍ଣୟ ନେବେ ।

ଦୋଷୀମାନେ ଆଇନଗତ ବ୍ୟବସ୍ଥାର ଦୂରୁପଯୋଗ କରୁଛନ୍ତି ବୋଲି ଅଦାଲତଙ୍କୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ଜାରି ରଖିବା ନ୍ୟାୟ ପ୍ରକ୍ରିୟା ପାଇଁ ହିତକର ନୁହଁ ବୋଲି କୁହାଯାଇଛି ।

ସୁପ୍ରିମକୋର୍ଟ ଦୋଷୀ ବିନୟ ଶର୍ମାର ଏକ ଆବେଦନର ଶୁଣାଣୀ କରିବେ । ବିନୟ ନିଜର ରାଜକ୍ଷମା ଖାରଜ ହେବା ବିରୋଧରେ ପୁଣି ସୁପ୍ରିମକୋର୍ଟରେ ମାମଲା ଦାୟର କରିଛି । ଅତି ଚଞ୍ଚଳତାର ସହ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଦୋଷୀ ବିନ ଅଭିଯୋଗ କରିଛି । ଫେବ୍ରୁଆରୀ ଏକ ତାରିଖରେ ରାଷ୍ଟ୍ରପତି ବିନୟର ରାଜକ୍ଷମାକୁ ଖାରିଜ କରି ଦେଇଛନ୍ତି ।