EMI ମୋରେଟରିୟମ ମାମଲା: କେନ୍ଦ୍ରକୁ ପକ୍ଷ ସ୍ପଷ୍ଟ କରିବାକୁ କହିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୮: ଦେଶରେ କରୋନା ଭାଇରସ ମହାମାରୀ ଲାଗି ଲକଡାଉନ୍‌ ସମୟରେ କେନ୍ଦ୍ର ସରକାର ବ୍ୟାଙ୍କ ଋଣ ଇଏମଆଇ ଲାଗି ମୋରେଟରିୟମ ଘୋଷଣା କରିଥିଲେ। ତେବେ ଏହି ଅବଧିରେ ଇଏମଆଇ ସୁଧ ଲାଗି କୌଣସି ଘୋଷଣା କରିନାହାନ୍ତି। ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବା ବେଳେ ପ୍ରସଙ୍ଗରେ ନୀତି ସ୍ପଷ୍ଟ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ୧ ସପ୍ତାହ ସମୟ ଦେଇଛନ୍ତି।   ଗତ ଜୁନ ୧୭ ତାରିଖରେ ମାମଲାର ଶେଷ ଶୁଣାଣି ହୋଇଥିଲା। ସେତେବେଳେ କୋର୍ଟ ଶୁଣାଣିକୁ ୨ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। 

ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ମାମଲାର ଶୁଣାଣି କରିଥିବା ବେଳେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ନିଜର ନୀତି ସ୍ପଷ୍ଟ କରିନଥିବା କହିଛନ୍ତି। ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଆଇନରେ ଏଥିଲାଗି ସରକାରଙ୍କର ପର୍ଯ୍ୟାପ୍ତ କ୍ଷମତା ରହିଛି। ହେଲେ ସରକାର ପ୍ରସଙ୍ଗରେ ନିଜକୁ ଆରବିଆଇଙ୍କ ପଛପଟେ ଲୁଚେଇବାକୁ ଉଦ୍ୟମ କରୁଥିବା ବେଞ୍ଚ କହିଛନ୍ତି।

ଜବାବରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏ ନେଇ ସରକାର ଓ ଆରବିଆଇ ମିଳିତ ଭାବେ କାର୍ଯ୍ୟ କରୁଥିବା କହିଥିଲେ। ତେବେ ପ୍ରସଙ୍ଗରେ ଜବାବ ଦାଖଲ ଲାଗି କୋର୍ଟଙ୍କୁ ୧ ସପ୍ତାହ ସମୟ ମାଗିଥିବା ବେଳେ କୋର୍ଟ ତାହା ମଞ୍ଜୁର କରିଛନ୍ତି। ସରକାର ବିପର୍ଯ୍ୟୟ ପରିଚାଳନା ଅଧିନିୟମ ନେଇ ନିଜର ନୀତି ସ୍ପଷ୍ଟ କରନ୍ତୁ ଓ ପରିସ୍ଥିତିରେ ଇଏମଆଇ ଉପରେ ସୁଧକଷା ଯିବ କି ନା ତାହା ସଫାସଫା କୁହନ୍ତୁ ବୋଲି କୋର୍ଟ ସଲିସିଟର ଜେନେରାଲଙ୍କୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.