ବିବିସି ଡକ୍ୟୁମେଣ୍ଟାରୀ ବ୍ୟାନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ: ଶୁଣାଣି ପାଇଁ ଅନୁମତି ଦେଲେ ଖଣ୍ଡପୀଠ

Published By : Prameya-News7 Bureau | January 30, 2023 IST

ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ହୋଇଥିବା ବିବିସିର ଡକ୍ୟୁମେଣ୍ଟାରୀ ବ୍ୟାନ୍‌କୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ। ଭାରତରେ ବ୍ୟାନ୍‌କୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏହି ମାମଲାକୁ ଶୁଣାଣି କରିବାକୁ କୋର୍ଟ ଅନୁମତି ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଓକିଲ ଏମ୍‌ଏଲ୍ ଶର୍ମା ଓ ବରିଷ୍ଠ ଓକିଲ ସିୟୁ ସିଂହ ମାମଲାର ତୁରନ୍ତ ଶୁଣାଣି ପାଇଁ ଆବେଦନ କରିଥିଲେ। ଆବେଦନର ଗମ୍ଭୀରତାକୁ ଦେଖି ପ୍ରଧାନ ବିଚାରପତି ଡିୱା ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍‌ ନରସିହ୍ମା ଏବଂ ଜେ,ପି ପାର୍ଡିୱାଲାଙ୍କ ଖଣ୍ଡପୀଠ ଏହାର ଶୁଣାଣି ପାଇଁ ରାଜି ହୋଇଛନ୍ତି।

ଇଣ୍ଡିଆ ଦି ମୋଦୀ କ୍ୱେସ୍‌ଚେନ୍‌ ଡକ୍ୟୁମେଣ୍ଟାରୀକୁ ବ୍ୟାନ୍ କରିବା ଦୁର୍ଭାଗ୍ୟପୂର୍ଣ୍ଣ, ମନମାନି ଓ ଅସାମ୍ବିଧାନିକ ବୋଲି ଦର୍ଶାଇ ଓକିଲ ଏମ୍‌ଏଲ୍‌ ଶର୍ମା ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ତୁରନ୍ତ ଶୁଣାଣି ପାଇଁ ଏହାକୁ କୋର୍ଟରେ ତାଲିକାଭୁକ୍ତ କରିବାକୁ ସେ ଦାବି କରିଛନ୍ତି।  

ସେହିପରି ବିବିସି ଡକ୍ୟୁମେଣ୍ଟାରିକୁ ଶେୟାର କରାଯାଇଥିବା ଟ୍ୱିଟର ଲିଙ୍କ୍‌କୁ ଡାଉନ୍ କରିବା ଅଭିଯୋଗରେ ମଧ୍ୟ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ବରିଷ୍ଠ ଓକିଲ ଏନ୍ ରାମ ଏବଂ ପ୍ରଶାନ୍ତ ଭୂଷଣ ଏହି ଆବେଦନ କରିଥିବା ବେଳେ ସୋମବାର ଏହାର ଶୁଣାଣି ହେବ।   

ଏନ୍‌ ରାମ ଓ ପ୍ରଶାନ୍ତ ପକ୍ଷକୁ ବରିଷ୍ଠ ଓକିଲ ସିୟୁ ସିଂହ ମାମଲା ଲଢ଼ିବେ। ଏମାର୍ଜେନ୍ସି ପାୱାର ଲଗାଇ କେମିତି ସେମାନଙ୍କର ଟ୍ୱିଟ୍‌କୁ ଡିଲିଡ୍ କରିଦିଆଗଲା ସେ ବିଷୟରେ ପ୍ରଶାନ୍ତ କୋର୍ଟଙ୍କୁ ଜଣାଇଛନ୍ତି। ସେହିପରି ଅଜମେର କଲେଜ୍ ଛାତ୍ରଙ୍କୁ ଏଥିପାଇଁ ରଷ୍ଟିକେଟ୍ କରାଯାଇଥିବା ମଧ୍ୟ କୋର୍ଟଙ୍କୁ ଅବଗତ କରାଇଛନ୍ତି। ମାମଲାର ଶୁଣାଣି ପାଇଁ ଏହାକୁ ତାଲିକାଭୁକ୍ତ କରାଯିବ ବୋଲି ସିଜେଆଇ କହିଛନ୍ତି।  

ସୂଚନା ଥାଉକି ବିବିସି ତିଆରି କରିଥିବା ଏହି ବିବାଦୀୟ ଡକ୍ୟୁମେଣ୍ଟାରୀକୁ ଶେୟାର କରିଥିବା ଟ୍ୱିଟର ଓ ୟୁଟ୍ୟୁବ୍‌କୁ ଲିଙ୍କକୁ ବ୍ଲକ୍ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ଦେଶର ଏକତାକୁ ନଷ୍ଟ କରିବାକୁ ଏହା ଏକ ହୀନ ଚକ୍ରାନ୍ତ। ଏଥିରେ ଉପନିବେଶବାଦର ମାନସିକତ ସ୍ପଷ୍ଟ ଝଲକୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.