୨୦୧୨ ଚାୱଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ମୃତ୍ୟୁ ଯାଏ ଜେଲ ଦଣ୍ଡ ପାଇଥିବା ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | November 07, 2022 IST

ନୂଆଦିଲ୍ଲୀ: ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଖଲାସ କଲେ ସୁପ୍ରିମକୋର୍ଟ। ଅଭିଯୁକ୍ତମାନଙ୍କୁ ମୃତ୍ୟୁ ଯାଏ ଜେଲ୍ ଦଣ୍ଡ ମିଳିଥିଲା। ହେଲେ କୋର୍ଟ ମାମଲାର ଶୁଣାଣି କରି ସେମାନଙ୍କୁ ଖଲାସ କରିଛନ୍ତି। ଅଭିଯୁକ୍ତମାନେ ନିରପେକ୍ଷ ଶୁଣାଣିର ଅଧିକାରରୁ ବଞ୍ଚିତ ଥିଲେ ବୋଲି କୋର୍ଟ କହିଛନ୍ତି।  

୨୦୧୨ ଦିଲ୍ଲୀର ଚାୱଲା ଏରିଆରେ ୧୯ ବର୍ଷୀୟା ମହିଳାଙ୍କୁ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ ଅପରାଧିଙ୍କୁ ମୃତ୍ୟୁ ଯାଏ ଜେଲ୍ ଦଣ୍ଡ ଦିଆଯାଇଥିଲା। ଏହି ୩ ଜଣଙ୍କ ଉପରେ ୨୦୧୨ ଫେବ୍ରୁଆରୀ ୧୨ ତାରିଖରେ ମହିଳାଙ୍କୁ ଅପହରଣ,ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଲାଗିଥିଲା।

ଏହି ମାମଲାରେ ଶୁଣାଣି କରି ଦିଲ୍ଲୀର ଏକ ନିମ୍ନ ଅଦାଲତ ୨୦୧୪ରେ ୩ ଅପରାଧିଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ। ନିମ୍ନ ଅଦାଲତଙ୍କର ନିର୍ଦ୍ଦେଶ ଉପରେ ସୁପ୍ରିମ କୋର୍ଟ କହିଛନ୍ତି ଯେ ନୈତିକ ଦୋଷ ଓ ସନ୍ଦେହ ଆଧାରରେ ଅଭିଯୁକ୍ତଙ୍କୁ ଦୋଷ ଦେଇ ହେବନି।

ପ୍ରତ୍ୟେକ ମାମଲା ଆଇନ ଅନୁସାରେ ଏକଦମ କଠୋରତାର ସହ ହେବା ଦରକାର। କୌଣସି ବାହାର ଚାପ କିମ୍ବା ନୈତିକତାମୂଳକ ଚାପ ଦ୍ୱାରା ପ୍ରଭାବିତ ହୋଇ ନିଷ୍ପତ୍ତି ଶୁଣାଇବା କଥା ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅଭିଯୋଗ କର୍ତ୍ତା ଆଣିଥିବା ଅଭିଯୋଗ ଉପରେ ପ୍ରମାଣ ଦେଇପାରିଲେ ନାହିଁ। ତେଣୁ ଅତି ଘୃଣ୍ୟ କାମରେ ଅଭିଯୁକ୍ତ ରହି ବି ଏମାନଙ୍କୁ ନିର୍ଦ୍ଦୋଷରେ ଖଲାସ ନ କରିବା ଛଡ଼ା ଅନ୍ୟ କୌଣସି ରାସ୍ତା ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି।  

ଏହି ମାମଲାରେ ତଦନ୍ତରେ ଅନେକ କୋହଳ କରାଯାଇଛି। ୪୯ ପ୍ରତ୍ୟକ୍ଷ ଦର୍ଶୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ପୁନଃ ପଚରାଉଚରା କରାଯାଇ ନଥିଲା। ଅନ୍ୟମାନଙ୍କୁ ବି ଠିକ୍ ଭାବରେ ପ୍ରଶ୍ନ କରାଯାଇ ନାହିଁ ବୋଲି କୋର୍ଟ କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.