ଜନଧନ ଖାତାଧାରୀଙ୍କ ୧୬୪ କୋଟି ଟଙ୍କା ଫେରାଇ ନାହାନ୍ତି SBI: ରିପୋର୍ଟ

Published By : Prameya-News7 Bureau | November 21, 2021 IST

ମୁମ୍ବାଇ ୨୧।୧୧: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ଜନଧନ ଯୋଜନାରେ ଖାତାଧାରୀଙ୍କୁ ଡିଜିଟାଲ ଦେୟ ପୈଠ ଲାଗି ଅସୁଲ କରିଥିବା ଶୁଳ୍କ ବାବଦ ୧୬୪ କୋଟି ଟଙ୍କା ଏପର୍ଯ୍ୟନ୍ତ ସେମାନଙ୍କୁ ଫେରାଇ ନାହାନ୍ତି। ମୁମ୍ବାଇସ୍ଥିତ ଭାରତୀୟ ପ୍ରଯୁକ୍ତି ସଂସ୍ଥା (ଆଇଆଇଟି) ପକ୍ଷରୁ ଜନଧନ ଯୋଜନା ଲାଗି ପ୍ରସ୍ତୁତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।
ରିପୋର୍ଟ ଅନୁସାରେ ବ୍ୟାଙ୍କ ଅସୁଲ କରିଥିବା ଶୁଳ୍କ ସରକାରୀ ନିର୍ଦ୍ଦେଶ ମିଳିବା ପରେ ଏସବିଆଇ ଏପର୍ଯ୍ୟନ୍ତ ମାତ୍ର ୯୦ କୋଟି ଟଙ୍କା ଫେରାଇ ପାରିଛନ୍ତି। ଏ ବାବଦେ ଖାତାଧାରୀ ଆହୁରି ୧୬୪ କୋଟି ଟଙ୍କା ଏବେ ଫେରସ୍ତ ପାଇବାକୁ ଅପେକ୍ଷାରେ ଅଛନ୍ତି। ବ୍ୟାଙ୍କ ଏପ୍ରିଲ ୨୦୧୭ରୁ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଜନଧନ ଯୋଜନାରେ ଖୋଲିଥିବା ସାଧାରଣ ସଞ୍ଚୟ ଜମା ଖାତା ୟୁପିଆଇ ଓ ରୁପେ କାର୍ଡ ଲେନଦେନ ବାବଦକୁ ୨୫୪ କୋଟି ଟଙ୍କାରୁ ଅଧିକ ଶୁଳ୍କ ଆଦାୟ କରିଥିଲେ।

{"id":547764,"sizeSlug":"full","linkDestination":"none"}

ଏଥିରେ ବ୍ୟାଙ୍କ ଖାତାଧାରୀଙ୍କ ଠାରୁ ପ୍ରତି ନେଣଦେଣରେ ୧୭ଟଙ୍କା ୭୦ ପଇସା ଲେଖାଏଁ ଆଦାୟ କରିଥିଲା। ମାସକରେ ୪ଟିରୁ ଅଧିକ ନେଣଦେଣ ଉପରେ ବ୍ୟାଙ୍କ ଏହି ଶୁଳ୍କ ଅସୁଲ କରିଥିଲେ। ତେବେ ବ୍ୟାଙ୍କର ଏପରି ପଦକ୍ଷେପ ଜନଧନ ଖାତାଧାରୀଙ୍କୁ ନିରାଶ କରିଥିଲା। ବ୍ୟାଙ୍କର ମନୋବୃତ୍ତିକୁ ନେଇ ଅଗଷ୍ଟ ୨୦୨୦ରେ କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ନିକଟରେ ଅଭିଯୋଗ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ୩୦ ଅଗଷ୍ଟ ୨୦୨୦ରେ ବ୍ୟାଙ୍କମାନଙ୍କ ଲାଗି ସର୍କୁଲାର ଜାରି କରି ଶୁଳ୍କ ବାବଦ ରାଶି ଫେରାଇବା ଓ ଭବିଷ୍ୟତରେ ଏପରି କୌଣସି ଶୁଳ୍କ ଅସୁଲ ନ କରିବା ଲାଗି ଚେତାଇ ଦେଇଥିଲେ। ଏହା ପରେ ଏସବିଆଇ ୧୭ ଫେବୃଆରୀ ୨୦୨୧ରେ ଡିଜିଟାଲ ଲେନଦେନ ଲାଗି ଅସୁଲ କରିଥିବା ଶୁଳ୍କ ଜନଧନ ଯୋଜନା ଆକାଉଣ୍ଟରେ ଫେରାଇବା ଲାଗି ପଦକ୍ଷେପ ନେଇଥିଲେ। ଏହି ରିପୋର୍ଟ ପ୍ରସ୍ତୁତ କରିଥିବା ପରିସଂଖ୍ୟାନବିଦ୍ ଆଶିଷ ଦାସ ଏବେବି ଖାତାରେ ୧୬୪ କୋଟି ଟଙ୍କା ଫେରାଇବାକୁ ବାକି ଥିବା କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.