ଆଦାନୀ ଗ୍ରୁପକୁ ଲୋନ ଦେଇଥିବା SBIଙ୍କ ବଡ଼ ବୟାନ, ୮୦ ହଜାର କୋଟି ଟଙ୍କାର ଋଣ ଉପରେ ଜାଣନ୍ତୁ କହିଛନ୍ତି କ’ଣ?
28/01/2023 at 7:35 PM

ମୁମ୍ବାଇ ୨୮।୧: ଗତ ୩ ଦିନ ପୂର୍ବ ପର୍ଯ୍ୟନ୍ତ ବିଶ୍ୱର ସବୁଠୁ ଧନିକ ବ୍ୟକ୍ତି ଥିବା ଆଦାନୀ ସମୂହଙ୍କ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ କମ୍ପାନୀଗୁଡିକର ସେୟାର ଏବେ ବଜାରରେ ତଳ ମୁହଁ ହୋଇ ଖସୁଛି। ଏହି ହ୍ରାସ ପଛରେ ଆମେରିକୀୟ ନିବେଶ ଅନୁସନ୍ଧାନକାରୀ କମ୍ପାନୀ ହିଣ୍ଡନବର୍ଗ ରିସର୍ଚ୍ଚଙ୍କ ରିପୋର୍ଟକୁ ଦାୟି କରାଯାଉଛି। ଏହି ରିପୋର୍ଟ ଆସିବା ପରେ ଆଦାନୀ ସମୂହଙ୍କ ନିବେଶକମାନେ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଏଥିରେ ଗୌତମ ଆଦାନୀ ମଧ୍ୟ ତାଙ୍କ ନେଟୱର୍ଥରେ ୨୨ ବିଲିୟନ ଡଲାର ହରାଇଛନ୍ତି। ଫଳରେ ସେ ବିଶ୍ୱର ଧନୀକଙ୍କ ସୂଚୀର ସପ୍ତମ ସ୍ଥାନକୁ ଖସିଆସିଛନ୍ତି।
ଆଦାନୀ ସମୂହ ଉପରେ ଘନେଇଥିବା ସଂକଟରେ ଗ୍ରୁପକୁ ମୋଟା ରକମର ଋଣ ଦେଇଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ବୟାନ ଜାରି କରିଛନ୍ତି। ଏସବିଆଇ କର୍ପୋରେଟ୍ ବ୍ୟାଙ୍କିଙ୍ଗ ଏମଡି ସ୍ୱାମୀନାଥନ ଜେ. କହିଛନ୍ତି ଯେ ବର୍ତ୍ତମାନ ସେପରି ପରିସ୍ଥିତି ସୃଷ୍ଟି ହୋଇନି ଯେଉଁଥିଲାଗି ଆଦାନୀ ସମୂହଙ୍କୁ ଦିଆଯାଇଥିବା ଋଣ ପାଇଁ ଆମକୁ ଚିନ୍ତା କରିବାକୁ ପଡିବ । ସେ କହିଛନ୍ତି ଯେ ଗ୍ରୁପକୁ ଯେଉଁ ଋଣ ମଞ୍ଜୁର ହୋଇଛି ତାହା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ସୀମା ମଧ୍ୟରେ ଦିଆଯାଇଛି। ସେହି ପରି ଦିଆଯାଇଥିବା ଋଣକୁ ସୁରକ୍ଷିତ କରିବା ପାଇଁ ସବୁ ଜରୁରୀ ନିୟମର ପାଳନ କରାଯାଇଛି।

ଆଦାନୀ ସମୂହଙ୍କ ଉପରେ ବିଭିନ୍ନ ଦେଶୀ ଓ ବିଦେଶୀ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାମାନଙ୍କର ୮୦ ହଜାର କୋଟି ଟଙ୍କା ଋଣ ରହିଛି। ଯାହା ସମୂହଙ୍କ ମୋଟ ଋଣର ୩୮ ପ୍ରତିଶତ। ତେବେ ଏସବିଆଇ ଜାରି କରିଥିବା ବୟାନରେ ସମୂହ ଲାଗି ନିଜର ରିସ୍କ ଏମାଉଣ୍ଟ ଉପରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ସୂତ୍ରଙ୍କ ଅନୁସାରେ ବ୍ୟାଙ୍କମାନେ ଆଦାନୀ ସମୂହଙ୍କ ଯେଉଁ ପ୍ରକଳ୍ପକୁ ଋଣ ଦିଆଯାଇଛି ସେଠାରୁ କ୍ୟାସ୍ ଫ୍ଲୋ ବେଶ୍ ଭଲ ରହିଛି।
ତେବେ ଗତ ଦୁଇ ବ୍ୟବସାୟୀକ ଦିନରେ ଆଦାନୀ ସମୂହଙ୍କ ମାର୍କେଟ୍ କ୍ୟାପିଟାଲ ୪.୧୮ ଟ୍ରିଲିୟନ ହ୍ରାସ ହୋଇଛି। ଆମେରିକା ସ୍ଥିତ ନିବେଶ ଅନୁସନ୍ଧାନ ଫାର୍ମ ହିଣ୍ଡନବର୍ଗ ରିସର୍ଚ୍ଚଙ୍କ ରିପୋର୍ଟରେ ସମୂହ ଏକ ଷ୍ଟକ୍ ହେରଫେର ଅଡିଟ ଠକେଇ ମାମଲାରେ ସାମିଲ ଥିଲା ବୋଲି ଅଭିଯୋଗ କରାଯାଇଛି। ତେବେ ଆଦାନୀ ଗ୍ରୁପ ରିପୋର୍ଟକୁ ଦୁର୍ଭାବନା ପୂର୍ଣ୍ଣ ଓ ପରିପକ୍ୱ ରିପୋର୍ଟ ନୁହେଁ ବୋଲି କହୁଛି। ଏଣୁ ରିପୋର୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଭାରତ ଓ ଆମେରିକା ଆଇନରେ ପ୍ରାସଙ୍ଗିକ ପ୍ରାବଧାନର ଏବେ ମୂଲ୍ୟାୟନ କରୁଛି।