ଏଟିଏମ୍‌ରୁ ଟଙ୍କା ଉଠାଇବା ଉପରେ କଟକଣା ଜାରି କଲା ଏସ୍‌ବିଆଇ ; ଜାଣନ୍ତୁ ଦିନକୁ କେତେ ଟଙ୍କା ଉଠାଇପାରିବେ

Published By : Prameya-News7 Bureau | October 01, 2018 IST

ନୂଆଦିଲ୍ଲୀ ୧|୧୦:  ଦେଶର ସବୁଠୁ ବଡ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ) ଏଟିଏମରୁ ଟଙ୍କା ଉଠାଇବା ଉପରେ ବଡ ଧରଣର ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛି । ଏଟିଏମରୁ ଟଙ୍କା ଉଠାଣ ପରିମାଣ ଉପରେ ଏବେ କଟକଣା ଲାଗୁ କରିବ ଏସବିଆଇ । ୩୧ ଅକ୍ଟୋବରରୁ  ଏସବିଆଇ ଗ୍ରାହକମାନେ ଗୋଟିଏ ଦିନରେ କେବଳ ୨୦ହଜାର ଟଙ୍କା ଏଟିଏମରୁ ଉଠାଇପାରିବେ । ଏବେ ଗ୍ରାହକମାନେ ଏଟିଏମରୁ ୪୦ ହଜାର ଟଙ୍କା ଉଠାଇପାରୁଛନ୍ତି । ଏଟିଏମରୁ ଟଙ୍କା ଉଠାଣରେ ବ୍ୟାପକ ଠକେଇ ହେଉଥିବାର ଅଭିଯୋଗ ବୃଦ୍ଧି ପାଉଥିବା ଏବଂ ଡିଜିଟାଲ କ୍ୟାସଲେସ୍ ନେଣଦେଣକୁ ବଢାଇବା ଉଦ୍ଦେଶ୍ୟରେ ଏସବିଆଇ  ଏଭଳି ନିଷ୍ପତ୍ତି ନେଇଛି ବୋଲି ଶାଖାଗୁଡିକୁ ପଠାଯାଇଥିବା ନିର୍ଦ୍ଦେଶନାମାରେ ଦର୍ଶାଇଛି । ଗତ କିଛି ବର୍ଷ ମଧ୍ୟରେ ଦେଖାଯାଇଛି ଯେ, ଏଟିଏମ୍ କାର୍ଡର କ୍ଲୋନ୍ କରି ଠକେଇ ହେଉଛି ।  ଏଟିଏମରେ ଲଗାଯାଇଥିବା କ୍ୟାମେରା ଏବଂ ଇଲେକ୍ଟ୍ରୋନିକ୍ ଡିଭାଇସରୁ ଗ୍ରାହକମାନଙ୍କର ଡେବିଟ୍ କାର୍ଡର ପିନ୍ ଜଣାପଡିଯାଉଛି । ଏହାଦ୍ବାରା ଠକେଇ ବହୁତ ହେଉଛି । ‘କ୍ଲାସିକ୍’ ଏବଂ ‘ମାଇଷ୍ଟ୍ରୋ’ ପ୍ଲାଟଫର୍ମରେ ଜାରି କରାଯାଇଥିବା ଡେବିଟ୍ କାର୍ଡରୁ ଉଠାଯାଉଥିବା ଟଙ୍କାର ପରିମାଣ ମଧ୍ୟ କମାଯାଇଛି । ସରକାରଙ୍କ ଦ୍ବାରା ଡିଜିଟାଲ ନେଣଦେଣ ଉପରେ ଜୋର ଦିଆଯିବା ପରେ ମଧ୍ୟ ନଗଦ ଟଙ୍କାର ଆବଶ୍ୟକତା ଅଧିକ ରହୁଛି । ବଜାରରେ ନଗଦ ଟଙ୍କାର ମାତ୍ରା ନୋଟ୍ ବନ୍ଦୀର ପୂର୍ବସ୍ତର ଭଳି ହୋଇଗଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.