ଏସବିଆଇ ଗ୍ରାହକଙ୍କୁ ଝଟକା, କାଲିଠାରୁ ମହଙ୍ଗା ହେବ ଲୋନ୍, ବଢ଼ିବ ଇଏମଆଇ  

Published By : Prameya-News7 Bureau | December 14, 2022 IST

ନୂଆଦିଲ୍ଳୀ, ୧୪/୧୨: ଏସବିଆଇ ଗ୍ରାହକଙ୍କୁ ଝଟକା। ଗ୍ରାହକଙ୍କ ଉପରେ ପଡ଼ିବ ମହଙ୍ଗା ଇଏମଆଇ ବୋଝ। ସରକାରୀ ବ୍ୟାଙ୍କ୍ ଏସବିଆଇ ଏମସିଏଲଆର (ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡ୍ସ ବେସ୍ଡ ଲେଣ୍ଡିଂ ରେଟ୍) ଦରରେ ୨୫ ବେସିସ୍ ପଏଣ୍ଟ ବା ୦.୨୫ ପ୍ରତିଶତ ବଢ଼ିଛି। ବ୍ୟାଙ୍କ୍‌ ଓ୍ବେବସାଇଟ୍ ଅନୁଯାୟୀ ନୂଆ ସୁଧ ଦର ୧୫ ଡିସେମ୍ବରରୁ ଲାଗୁ ହେବ। କହିପାରିବା ଏଣିକି ଗ୍ରାହକଙ୍କ ଋଣ ପାଇଁ ଅଧିକ ସୁଧ ଗଣିବାକୁ ପଡ଼ି।

ସେହିଭଳି ଯେଉଁ ଗ୍ରାହକଙ୍କ ଲୋନ୍ ଜାରି ରହିଛି ସେମାନଙ୍କ ଇଏମଆଇ ବଢ଼ିବ। ଏସବିଆଇର ୪୦ କୋଟିରୁ ଅଧିକ ଗ୍ରାହକ ଅଛନ୍ତି। ଏପରି ସ୍ଥିତିରେ ଏସବିଆଇର ଏହି ନୂଆ ନିଷ୍ପତ୍ତିରେ ନୂଆ ଏବଂ ପୁରୁଣା ଉଭୟ ଗ୍ରାହକ ପ୍ରଭାବିତ ହୋଇପାରନ୍ତି।

ବ୍ୟାଙ୍କ୍ ଓ୍ବେବସାଇଟ୍ ଅନୁଯାୟୀ ଗୋଟିଏ ମାସ ଏବଂ ତିନି ମାସ ଅବଧି ପାଇଁ ଏମସିଏଲଆର ୭.୭୫ % ରୁ ବଢ଼ାଇ ୮.୦୦ % କରାଯାଇଛି। ଛଅ ମାସ ଏବଂ ଏକ ବର୍ଷ ଅବଧି ପାଇଁ ଏମସିଏଲଆର ୮.୦୫ % ରୁ ବଢ଼ି ୮.୩୦ % କରାଯାଇଚି। ଦୁଇ ବର୍ଷର ଏମସିଏଲଆର ୮.୨୫% ରୁ ବଢ଼ି ୮.୫୦% ହୋଇଛି। ଯେତେବେଳେକି ତିନି ବର୍ଷର ଅବଧି ପାଇଁ ଏମସିଏଲଆର ୮.୩୫%ରୁ ବଢ଼ି ୮.୬୦% ହୋଇଛି।

ସୂଚନାଯୋଗ୍ୟ, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନିକଟରେ ରେପୋ ରେଟ୍ ୩୫ ବେସିସ୍ ପଏଣ୍ଟ ବୃଦ୍ଧି କରିଛି। ଏବେ ରେପୋ ରେଟ୍ ୬.୨୫ % ହୋଇଛି। ଏହି ବୃଦ୍ଧି ପରେ ବ୍ୟାଙ୍କ୍ ଉପରେ ସୁଧ ଦର ବଢ଼ାଇବା ନେଇ ଚାପ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.