Asia Cup ଆୟୋଜନ ନେଇ BCCI ସଭାପତି ଗାଙ୍ଗୁଲୀଙ୍କ ବଡ ବୟାନ, କହିଲେ ଦୁବାଇରେ ଖେଳିବେ ଭାରତ ଓ ପାକ୍
28/02/2020 at 9:24 PM

କୋଲକାତା ୨୮।୨: ଏସିଆ କପ୍ ଆୟୋଜନ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ଶୁକ୍ରବାର ପ୍ରଥମ ଥର ମୁହଁ ଖୋଲିଛନ୍ତି। ଏହା ଦୁବାଇରେ ଖେଳାଯିବ ବୋଲି ସେ କହିଥିବା ବେଳେ ଏଥିରେ ଭାରତ ଓ ପାକ୍ ମଧ୍ୟ ଖେଳିବେ ବୋଲି କହିଛନ୍ତି। ଆୟୋଜକ ପାକିସ୍ତାନ ପ୍ରଥମେ ସେପ୍ଚେମ୍ବରରେ ମ୍ୟାଚ୍ ଆୟୋଜନ ଲାଗି ନିଷ୍ପତ୍ତି ନେଇଥିଲା। ତେବେ ଭାରତୀୟ ଟିମ୍ ସୁରକ୍ଷାଗତ କାରଣକୁ ପ୍ରସଙ୍ଗ କରିବାରୁଏହା ଏବେ ଦୁବାଇକୁ ସ୍ଥାନାନ୍ତର ହୋଇଛି।

ଦୁବାଇରେ ଏସିଆନ କ୍ରିକେଟ୍ କାଉନସିଲ (ଏସିସି) ମିଟିଂ ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଗାଙ୍ଗୁଲୀ ଶୁକ୍ରବାର ଦୁବାଇ ଗସ୍ତରେ ବାହରିବା ପୂର୍ବରୁ ଇଡେନ ଗାର୍ଡନରେ ଗଣମାଧ୍ୟମକୁ ଆୟୋଜନ ସ୍ଥଳ ନେଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବିସିସିଆଇ ଆୟୋଜକ ପାକିସ୍ତାନକୁ ନେଇ କୌଣସି ସମସ୍ୟା ନଥିବା କହିଥିଲା। ହେଲେ ଏହା ଏକ ସୁରକ୍ଷିତ ସ୍ଥାନରେ ଖେଳାଯାଉ ବୋଲି ସର୍ତ୍ତ ରଖିଥିଲା। ୨୦୧୨-୧୩ରୁ ଭାରତ-ପାକ୍ ମଧ୍ୟରେ ଗୋଟିଏ ବି ଦ୍ୱିପାକ୍ଷୀକ ମ୍ୟାଚ୍ ଖେଳାଯାଇ ନାହିଁ। ତେବେ ଆଇସିସି ମ୍ୟାଚ୍ଗୁଡିକରେ ଉଭୟ ଦଳଙ୍କୁ ଏକାଠି ଖେଳିଥିବାର ଦେଖାଯାଇଛି।

ସାମ୍ବାଦିକ ସମ୍ମିଳନୀ ଅବସରରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ମହିଳା ଟି-୨୦ ବିଶ୍ୱକପ୍ ସେମିକୁ ହରମନପ୍ରିତ କୌରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପ୍ରବେଶ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ମେଲବର୍ଣ୍ଣରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ସେମିଫାଇନାଲକୁ ପ୍ରବେଶ କରିଛି।