ଦୁବାଇ ୨୬।୨: ପାଖେଇ ଆସୁଛି ରମଜାନ, ଇସ୍ଲାମ ଧର୍ମରେ ଏହି ମାସର ଖାସ ମହତ୍ୱ ରହିଛି। ଏଥି ପାଇଁ ଏବେଠୁ ସାରା ବିଶ୍ୱରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଇସ୍ଲାମର କେନ୍ଦ୍ର ମନେ କରାଯାଉଥିବା ସାଉଦୀ ଆରବ ରମଜାନ ଦୃଷ୍ଟିରୁ ନୂଆ ଗାଇଡଲାଇନ ଜାରି କରିଛି। ଯେଉଁଥିରେ ମସଜିଦମାନଙ୍କରେ ହେଉଥିବା ଇଫ୍ତାରକୁ ନେଇ କିଛି କଟକଣା ଜାରି ହୋଇଛି, ଏପରିକି ଇମାମଙ୍କ ଇଫ୍ତାର ନିମନ୍ତେ ଲୋକଙ୍କଠୁ ଚାନ୍ଦା ସଂଗ୍ରହ କରିବାକୁ ବି ମନା କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ରମଜାନରେ ରୋଜା (ଉପବାସ) ଶେଷ କରିବା ପାଇଁ ଅଧିକାଂଶ ମସଜିଦ୍ରେ ଇଫ୍ତାରର ବ୍ୟବସ୍ଥା କରାଯାଏ। ଏହି ବ୍ୟବସ୍ଥା ପରିବ୍ରାଜକ ଓ ଗରିବ ଲୋକଙ୍କ ପାଇଁ ହୁଏ। ରମଜାନ ପୂର୍ବରୁ ସାଉଦୀର ମିନିଷ୍ଟ୍ରି ଅଫ ଇସ୍ଲାମିକ ଆଫେୟାର୍ସ ଅନେକ ପ୍ରକାରର ପ୍ରସ୍ତୁତି କରିଥାନ୍ତି। ଏହି ସବୁ କଟଣା ମଧ୍ୟ ଏହି ପ୍ରସ୍ତୁତିର ଅଂଶବିଶେଷ। ମନ୍ତ୍ରାଳୟ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ ରମଜାନରେ ହେଉଥିବା ଇଫ୍ତାର ମସଜିଦମାନଙ୍କୁ ସଫା ସୁତୁରା ରଖିବା ପାଇଁ ଭିତରେ ଆୟୋଜିତ ହୋଇପାରିବ ନାହିଁ। ବରଂ ଏପରି ଆୟୋଜନ ମସଜିଦ ପରିସରର ଏକ ନିର୍ଦ୍ଧାରିତ ସ୍ଥାନରେ କରାଯିବ।
{"id":914027,"sizeSlug":"full","linkDestination":"none"}
ଏହା ଛଡା ଅନେକ କଟକଣା ମଧ୍ୟ ଜାରି ହୋଇଛି। ଯେଉଁଥିରେ ମସଜିଦ ଭିତରେ କ୍ୟାମେରାର ଉପଯୋଗ ଓ ଗଣମାଧ୍ୟମରେ ଇମାମଙ୍କ ଭାଷଣର ସିଧା ପ୍ରସାରଣ ଉପରେ ରୋକ ଲଗାଯାଇଛି। ସେହିପରି ମସଜିଦମାନଙ୍କରେ ହେଉଥିବା ଖାସ ନମାଜ ‘ତରାବିହ’ କାଳରେ ମସଜିଦର ଇମାମ ମାନଙ୍କୁ ସେମାନଙ୍କ ଭାଷଣ ସଂକ୍ଷିପ୍ତ କରିବାକୁ କୁହାଯାଇଛି। ସେହିପରି ମସଜିଦମାନଙ୍କରେ ଦିଆଯାଉଥିବା ବୟାନରେ କେବଳ ରୋଜାଦାରମାନଙ୍କ ଲାଭ ନିମନ୍ତେ ଭାଷଣ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହା ଛଡା ଇଫ୍ତାରର ତୁରନ୍ତ ବାଦ ଅନୁଷ୍ଠିତ ହେଉଥିବା ନମାଜ ଓ ଅଜାନ ମଧ୍ୟରେ ଅନୁନ୍ୟ ୧୦ ମିନିଟ୍ ଅନ୍ତର ରଖିବାକୁ କୁହାଯାଇଛି। ଚଳିତବର୍ଷ ରମଜାନ ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବ। ଏହି ମାସରେ ସାରା ବିଶ୍ୱରେ ମୁସଲମାନ ରୋଜା (ଉପବାସ) ରଖନ୍ତି। ଲୋକେ ନିଜକୁ ପୈଗମ୍ବର ମହମ୍ମଦଙ୍କ ଦର୍ଶିତ ମାର୍ଗରେ ପରିଚାଳିତ କରିବାକୁ ଚେଷ୍ଟା କରନ୍ତି। ରୋଜା ରଖିବା ସମୟରେ ମୁସଲମାନମାନେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଖାଇବା ପିଇବା କରନ୍ତିନି। ରମାଜାନର ୩୦ ରୋଜା ରଖିବା ଖୁସିରେ ଲୋକେ ଇଲ-ଅଲଫିତର ପାଳନ କରିଥାନ୍ତି।