ତେଲ ପକାଇ ପଇସା ଦେଇ ପାରିଲାନି ପାକିସ୍ତାନ ଏୟାରଲାଇନ୍ସ ବିମାନ, ଅଟକ ରଖିଲା UAE
14/09/2023 at 7:05 PM

ଦମ୍ମନ ୧୪।୯: ପାକିସ୍ତାନ ଏୟାରଲାଇନ୍ସ (ପିଆଇଏ)କୁ ସେପ୍ଟେମ୍ବର ୧୫ ସୁଦ୍ଧା ଯଦି ଏମାର୍ଜେନ୍ସୀ ଫଣ୍ଡ ନ ମିଳିଲା ତେବେ ଆଗକୁ ଉଡାଣ ନିଲମ୍ବିତ ହୋଇପାରେ। ଏହା କହିଛନ୍ତି ପିଆଇଏର ଜନୈକ ବରିଷ୍ଠ ଅଧିକାରୀ। ବିମାନରେ ତେଲ ପକାଇ ଅର୍ଥ ପୈଠ କରି ନ ପାରିବାରୁ ସାଉଦି ଆରବ ଦମ୍ମନ ବିମାନ ବନ୍ଦରରେ ପିଆଇଏର ଏକ ବିମାନକୁ ଅଟକ କରାଯିବା ଘଟଣା ପରେ ଅଧିକାରୀ ଏହା କହିଛନ୍ତି। ପୂର୍ବରୁ ମଧ୍ୟ ୪ଟି ବିମାନ ସମାନ କାରଣ ପାଇଁ ୟୁଏଇ ବିମାନ ବନ୍ଦରରେ ଅଟକ ଥିଲେ। ଏଥି ପାଇଁ ଏୟାରଲାଇନ୍ସକୁ ଏକ ଲିଖିତ ଆଶ୍ୱାସନା ଦେବା ପରେ ପୁଣି ବିମାନ ଉଡାଣ କରିଥିଲା।

ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ଏଣୁ ସରକାରୀ ବିମାନ କମ୍ପାନୀ ପିଆଇଏ ଏବେ ସ୍ୱଭାବିକ କାର୍ଯ୍ୟ କରି ପାରୁନଥିବା ଜନୈକ ବରିଷ୍ଠ ନିର୍ଦ୍ଦେଶକ କହିଛନ୍ତି। ପୂର୍ବରୁ ପ୍ରତି ଦିନ ଅନ୍ତର୍ଜାତୀୟ ଗନ୍ତବ୍ୟରେ ୨୩ଟି ବିମାନ ଉଡାଣ କରୁଥିଲା। ତେବେ ଆର୍ଥିକ ସଂକଟରେ ବିମାନ କମ୍ପାନୀ ପରିଚାଳନା ସମ୍ଭବ ହୋଇପାରୁନଥିବାରୁ ଏବେ ଉଡାଣ ସଂଖ୍ୟା ହ୍ରାସ କରି ୧୬ କରି ଦିଆଯାଇଛି। ଏହା ସତ୍ତ୍ୱେ ଦେଶ ବାହାରେ ବିମାନରେ ତୈଳ ଭରିବାକୁ ପିଆଇଏ ସକ୍ଷମ ହୋଇ ପାରୁ ନାହିଁ। ଏଥିରେ ଯଦି ସରକାର ଜରୁରିକାଳୀନ ପାଣ୍ଠି ଉପଲବ୍ଧ କରି ନ ପାରନ୍ତି ତେବେ ସେପ୍ଟେମ୍ବର ୧୫ ପରେ ବିମାନ ଚଳାଚଳ ପିଆଇଏ ଲାଗି ଅସମ୍ଭବ ହୋଇପଡିବ ବୋଲି ଅଧିକାରୀ କହୁଛନ୍ତି।

ଅଧିକାରୀ କହିଛନ୍ତି ଯେ ବିମାନ ନିର୍ମାତା କମ୍ପାନୀ ବୋଇଂ ଓ ଏୟାରବସ୍ ପିଆଇଏ ବିମାନଙ୍କୁ ସ୍ପେୟାରପାର୍ଟସ୍ ଦେବାକୁ ମନା କରିଦେଇଛନ୍ତି। କମ୍ପାନୀମାନଙ୍କ ସ୍ପେୟାରପାର୍ଟସ୍ ବାବଦ ବକେୟା ପୈଠ ହୋଇ ପାରୁନଥିବାରୁ ଏପରି ଅବସ୍ଥା ଉପୁଜିଛି। ଫଳରେ ମରାମତି ଅଭାବରୁ କେତେକ ବିମାନ ଉଡାଣ କରି ପାରୁନଥିବା ବେଳେ ଉଡାଣରେ ଥିବା ବିମାନ ଲାଗି ଇନ୍ଧନ ଭରିବା ଏବେ ପିଆଇଏ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଏୟାର ଲାଇନ୍ସ ଖୁବ୍ କମ୍ ଉଡାଣ ସଞ୍ଚାଳନ କରୁଥିବା ବେଳେ କମ୍ପାନୀର ଦୈନିକ ଲକ୍ଷଲକ୍ଷଟଙ୍କା କ୍ଷତି ହେଉଛି। ଅଧିକାରୀଙ୍କ ଅନୁସାରେ ପିଆଇଏକୁ ଚଳାଇ ରଖିବା ପାଇଁ ଏବେ ୨୩ ବିଲିୟନ ପାକିସ୍ତାନୀ ଟଙ୍କାର ତ୍ୱରିତ ଆବଶ୍ୟକତା ଅଛି। ଯଦି ସରକାର ଜରୁରି ପାଣ୍ଠି ଯୋଗାଇ ନ ଦିଅନ୍ତି ତେବେ ପିଆଇଏ ଗୁରୁତର ସଂକଟର ସମ୍ମୁଖୀନ ହେବ ବୋଲି ଅଧିକାରୀ କହିଛନ୍ତି।