ତିହାର୍ ଜେଲ୍ ବାଥରୁମ୍ରେ ପଡିଲେ ସତ୍ୟେନ୍ଦ୍ର ଜୈନ୍, DDU ହସ୍ପିଟାଲ୍ରେ ଭର୍ତ୍ତି
25/05/2023 at 10:36 AM

ନୂଆଦିଲ୍ଲୀ ୨୫/୦୫: ଦିଲ୍ଲୀ ସରକାରଙ୍କ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆହତ । ତିହାର୍ ଜେଲର ବାଥରୁମ୍ରେ ପଡି ସେ ଆହତ ହୋଇଛନ୍ତି । ବାଥରୁମ୍ରେ ମୁଣ୍ଡ ବୁଲାଇବା କାରଣକୁ ସେ ତଳେ ପଡିଯାଇଛନ୍ତି । ଏହା ପରେ ତାଙ୍କୁ ପଣ୍ଡିତ ଦିନ୍ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହା ପୂର୍ବରୁ ବି ସେ ବାଥରୁମରେ ପଡିଥିଲେ । ସଂଗେ ସଂଗେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ମନି ଲଣ୍ଡରିଂରେ ଜଡିତ ମାମଲାରେ ପାଖାପାଖି ଗୋଟିଏ ବର୍ଷ ହେବ ଜେଲରେ ବନ୍ଦୀ ଥିବା ସତ୍ୟେନ୍ଦ୍ର ଜୈନ ଗୋଟିଏ ସପ୍ତାହରେ ଦୁଇ ଥର ହସ୍ପିଟାଲରେ ଭର୍ତ୍ତି ହେଲେଣି । ଆମ ଆଦମୀ ପାର୍ଟି ସୂଚନା ଅନୁଯାୟୀ ଜୈନଙ୍କର ପୂର୍ବରୁ ସ୍ୱାସ୍ଥ୍ୟ ଖରାପ ଥିଲା । ଆହୁରି ମଧ୍ୟ କୁହାଯାଇଥିଲା କି, ଜେଲ୍ରେ ରହିବା କାରଣରୁ ତାଙ୍କର ୩୦ କିଲୋ ଓଜନ ବି କମିଛି ।
ଗତ ମେ ୧୮ରେ ସୁପ୍ରିମ କୋର୍ଟ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଶୁଣାଣି କରିଥିଲେ । ଏହି ସମୟରେ ଆଇନଜୀବୀ ଅଭିଷେକ ମନୁ ଜୈନଙ୍କର ସ୍ୱାସ୍ଥ୍ୟ ସମସ୍ୟା ପ୍ରସଙ୍ଗ ଉଠାଇଥିଲେ । ସେ କୋର୍ଟକୁ କହିଥିଲେ ଜୈନଙ୍କର ସ୍ୱାସ୍ଥ୍ୟ ଠିକ୍ ନାହିଁ । ସେ କଙ୍କାଳ ସଦୃଶ ଦେଖାଯାଉଛନ୍ତି । ଏହି ଆଧାରରେ ସେ ଜାମିନ ମାଗିଥିଲେ ।