ପଞ୍ଚଭୂତରେ ଲୀନ ହେଲେ ଓଡିଆ ଯୁବକ ସତ୍ୟମ୍ବଦ ପାତ୍ର, ବ୍ରାହ୍ମଣୀ ନଦୀ କୂଳରେ ହେଲା ଶେଷକୃତ୍ୟ

Published By : Prameya-News7 Bureau | June 30, 2022 IST

ଭୁବନ ୩୦/୦୬: ଓଏନ୍‌ଜିସି ହେଲିକପ୍ଟର ଦୁର୍ଘଟଣାରେ ମୃତ ଓଡିଆ ଯୁବକ ସତ୍ୟମ୍ବଦ ପାତ୍ରଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟାରେ ସତ୍ୟମ୍ବଦଙ୍କ ପାର୍ଥିବ ଶରୀର ତାଙ୍କ ଗାଁ ଢେଙ୍କାନାଳ ଜିଲ୍ଲା ଭୁବନରେ ପହଞ୍ଚିଥିଲା । ଏହାପରେ ଏକ ଶୋଭାଯାତ୍ରାରେ ସତ୍ୟମ୍ବଦଙ୍କ ପାର୍ଥିବ ଶରୀରକୁ ବୁଦ୍ଧେଶ୍ୱରର ନିକଟ ଶ୍ମଶାନ ଅଭିମୁଖେ ନିଆଯାଇଥିଲା ।

ତାପରେ ସେଠାରେ ଶୋକାକୁଳ ପରିବେଶରେ ବ୍ରାହ୍ମଣୀ ନଦୀ କୂଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏହି ସମୟରେ ଲୋକାରଣ୍ୟ ହେବାସହ କାନ୍ଦବୋବାଳିରେ ଫାଟି ପଡିଥିଲା ଶଶ୍ମାନ । ମଙ୍ଗଳବାର ଆରବସାଗରରେ ଓଏନସିଜି ହେଲିକପ୍ଟର ଦୁର୍ଘଟଣାରେ ଜିଓଲୋଜିଷ୍ଟ ସତ୍ୟମ୍ବଦ ପାତ୍ରଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ପୈତୃକ ଘର ଢେଙ୍କାନାଳ ଜିଲ୍ଲା ଭୁବନରେ । ତାଙ୍କର ଗତବର୍ଷ ବିବାହ ହୋଇଥିଲା ।

ମାଲକାନଗିରି ସଦର ମହକୁମାସ୍ଥିତ ଏଆରସିଏସ କାର୍ଯ୍ୟାଳୟରେ ସତ୍ୟମ୍ବଦଙ୍କ ବାପା ସୁରେଶ ପାତ୍ର ଷ୍ଟେନୋ ଭାବେ କାମ କରନ୍ତି । ତାଙ୍କ ମା ମାଲକାନଗିରିରେ ଶିକ୍ଷୟତ୍ରୀ ଅଛନ୍ତି । ସତ୍ୟମ୍ବଦ ନିଜର ହାଇସ୍କୁଲ ପାଠ ମାଲକାନଗିରିରେ ସମାପ୍ତ କରିବା ପରେ ତିର୍ତୋଲ କଲେଜରେ ଜିଓଲୋଜିଷ୍ଟ ପାଠ ସାରି ରାଉରକେଲା NIIT ରେ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ । ଏହାସହ ୟୁପିଏସି ପାଠପଢି ଆଗକୁ ଆଇଏସ ହେବାକୁ ପ୍ରସ୍ତୁତି ଚଳାଇଥିଲେ ।

୩ ବର୍ଷ ତଳେ ଓଏନଜିସିରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ସକାଳ ୧୧ ଟା ସମୟରେ ବମ୍ବେ ଉପକୂଳରୁ ପ୍ରାୟ ୧୧୧ କିମି ଦୂରରେ ଆରବ ସାଗରରେ ହେଲିକପ୍ଟରଟି ଖସିପଡ଼ିବା ଯୋଗୁ ଏଥିରେ ଥିବା ୯ ଜଣ ଲୋକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ ଓଏନ୍‌ଜିସିର ପବନହଂସ ହେଲିକପ୍ଟରରେ ୨ ଜଣ ବିମାନ କର୍ମଚାରୀ ଓ ୭ ଜଣ ଓଏନ୍‌ଜିସି କର୍ମଚାରୀ ଥିଲେ । ରେସ୍କ୍ୟୁ ଅପରେସନରେ ୩ ଜଣ ଓଏନ୍‌ଜିସି କର୍ମଚାରୀ ଏବଂ ୨ ଜଣ ବିମାନ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିଥିଲା ଏବଂ ଓଏନ୍‌ଜିସିର ୪ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.