ରଥଯାତ୍ରା ଡ୍ୟୁଟି ବେଳେ ହୃଦଘାତରେ ଜୀବନ ହାରିଥିଲେ ଶତୃଘ୍ନ, ମୃତ୍ୟୁକୁ ୨ ବର୍ଷ ବିତିଥିଲେ ସୁଦ୍ଧା ଅସହାୟ ଅବସ୍ଥାରେ ପରିବାର, ସରକାରୀ ସହାୟତାକୁ ଅପେକ୍ଷା

Published By : Prameya-News7 Bureau | November 29, 2020 IST

ଚଣ୍ଡିଖୋଲ,୨୯/୧୧:  ଯାଜପୁର ଜିଲ୍ଲା  ବାଲିଚନ୍ଦ୍ରପୁର ଥାନାରେ କାର୍ଯ୍ୟରତ ହୋମଗାର୍ଡ ଶତୃଘ୍ନ ବେହେରା ଗତ ୨ ବର୍ଷ ତଳେ ରଥଯାତ୍ରାରେ କାର୍ଯ୍ୟରତ ଥିବା ସମୟରେ ହୃଦ୍ ଘାତରେ ପ୍ରାଣ ହରାଇଥିଲେ । ପରିବାରର ୬ ପ୍ରାଣୀ କୁଟୁମ୍ବ ସ୍ୱର୍ଗତ ଶତୃଘ୍ନଙ୍କ ରୋଜଗାର ଉପରେ ନିର୍ଭର କରିଆସୁଥିଲେ।ମୃତ୍ୟୁକୁ ୨ ବର୍ଷ ପୁରିଥିଲେ ମଧ୍ୟ ମୃତକ ଶତୃଘ୍ନଙ୍କୁ ସଂପୂର୍ଣ୍ଣ ଭୁଲି ଯାଇଛନ୍ତି ସରକାର।

ସୂଚନାନୁସାରେ, ବାଲିଚନ୍ଦ୍ରପୁର ଥାନାରେ କାମ କରୁଥିଲେ ହୋମଗାର୍ଡ ଶତୃଘ୍ନ ବେହେରା । ପରିବାର କହିଲେ ଘରେ ୬ ଜଣ ସଦସ୍ୟ । ୨୦୧୮ରେ ଶତୃଘ୍ନଙ୍କ ରଥଯାତ୍ରାରେ ଡ୍ୟୁଟି ପଡିଥିଲା । ଡ୍ୟୁଟିରେ ଥିବା ବେଳେ ସେ ହୃଦଘାତରେ ପ୍ରାଣ ହରାଇଥିଲେ । ଶତୃଘ୍ନଙ୍କ ମୃତ୍ୟୁ ପରେ ବହୁ କଷ୍ଟରେ ଚଳୁଛନ୍ତି ତାଙ୍କ ପରିବାର ଲୋକେ । ଚାକିରୀ ଖଣ୍ଡେ ପାଇଁ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଏସପି ଓ ସ୍ଥାନୀୟ ଜନପ୍ରତିନିଧୀଙ୍କ ନିକଟରେ ଶତୃଘ୍ନଙ୍କ ପରିବାର ଲୋକେ କାକୁତିବିନତି ହେଲେ ମଧ୍ୟ କିଛି ଲାଭ ହେଉନଥିବା ଝିଅ ସବିତା ଅଭିଯୋଗ କରିଛନ୍ତି।

ପତ୍ନୀ ଇତିମଧ୍ୟରେ ପରିବାର ଭରଣପୋଷଣ କରିବା ପାଇଁ ଗାଈ ପାଳନ କରି କ୍ଷୀର ବ୍ୟବସାୟ କରି ଘର ଚଳାଉଛନ୍ତି। ସରକାର ଶତୃଘ୍ନଙ୍କ ପୁଅକୁ ଚାକିରୀ ଖଣ୍ଡେ ପ୍ରଦାନ କରିବା ସହିତ ବଳକା ପ୍ରାପ୍ୟ ଗଣ୍ଡାକ ପ୍ରଦାନ କଲେ ୫ ପ୍ରାଣୀ କୁଟୁମ୍ବ ବଞ୍ଚି ଯାଆନ୍ତା ବୋଲି ତାଙ୍କ ଝିଅ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.