ଆସିଲା ସତୀଶ କୌଶିକଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଜଣା ପଡିଲା କିପରି ହୋଇଛି ମୃତ୍ୟୁ
11/03/2023 at 5:58 PM

ନୂଆଦିଲ୍ଲୀ ୧୧।୩: ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଯାଇଛି। ଅଭିନେତାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ପୋଲିସକୁ କୌଣସି ପ୍ରକାର ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁର ପ୍ରମାଣ ମିଳି ନାହିଁ। ସତୀଶ କୌଶିକଙ୍କ ମୃତ୍ୟୁ ହୋଲି ପରଦିନ ହୃଦଘାତ ଯୋଗୁ ହୋଇଥିଲା। ଅଭିନେତା ମାର୍ଚ୍ଚ ୮ ତାରିଖ ଦିନ ଫାର୍ମ ହାଉସରେ ସବୁ ସାଙ୍ଗସାଥୀଙ୍କ ସହ ହୋଲି ଖେଳିଥିଲେ। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ତାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ସତୀଶଙ୍କର ହାଇପରଟେନସନ ଓ ସୁଗରର ମେଡିକାଲ ହିଷ୍ଟ୍ରି ରହିଛି। ତାଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ମଧ୍ୟ ଥିଲା, ସାଙ୍ଗକୁ ଡାୟବେଟିଜ୍ ରେ ମଧ୍ୟ ପୀଡ଼ିତ ଥିଲେ। ପୋଲିସର ଏପର୍ଯ୍ୟନ୍ତ ଯାଞ୍ଚରୁ ତାଙ୍କର ମୃତ୍ୟୁ ସନ୍ଦିଗ୍ଧ ପରିସ୍ଥିତିରେ ହୋଇଥିବାର କୌଣସି ପ୍ରମାଣ ମିଳି ନାହିଁ। ସତୀଶଙ୍କ ପୋଷ୍ଟମର୍ଟମ ୪ ଜଣିଆ ଡାକ୍ତରଙ୍କ ପ୍ୟାନେଲ ଦ୍ୱାରା ହୋଇଥିଲା। ରେକର୍ଡ ଲାଗି ଏହାର ଭିଡିଓ ଏବଂ ଫଟୋଗ୍ରାଫି ମଧ୍ୟ କରାଯାଇଛି।

ରିପୋର୍ଟରେ ଲେଖାଯାଇଛି ଯେ ସତୀଶଙ୍କ ମୃତ୍ୟୁ କାର୍ଡିଆକ ଆରେଷ୍ଟ ଯୋଗୁ ହୋଇଛି। ଏହାର କାରଣ କରୋନରୀ ଆର୍ଟରୀ ବ୍ଲକେଜ୍। ସତୀଶଙ୍କ ହାର୍ଟ ଏବଂ ରକ୍ତ ନମୁନାର ଯାଞ୍ଚ ରିପୋର୍ଟ ପୋଲିସକୁ ୧୦ରୁ ୧୫ ଦିନ ମଧ୍ୟରେ ମିଳିବ। ବ୍ଲଡ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ପୋଲିସ ଅନୁମାନ କରୁଛି। ପୋଲିସ ସୂଚନା ଅନୁସାରେ ସତୀଶ କୌଶିକ ଯେଉଁ ଫାର୍ମ ହାଉସ୍ରେ ହୋଲି ଖେଳୁଥିଲେ ସେହି ପାର୍ଟିରେ ୨୦ରୁ ୨୫ ଜଣ ଅଂଶଗ୍ରହଣ କରିଥିଲେ।
ଫାର୍ମ ହାଉସ୍ରେ ସିସିଟିଭି କ୍ୟାମେରା ମଧ୍ୟ ଲାଗିଛି। ପୋଲିସ୍ ପାର୍ଟି ସମୟର ୭ ଘଣ୍ଟାର ଭିଡିଓ ଜବତ କରିଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଓ ସିସିଟିଭି ଫୁଟେଜ ଯାଞ୍ଚରୁ ପୋଲିସକୁ ଏପର୍ଯ୍ୟନ୍ତ କିଛି ବି ସନ୍ଦିଗ୍ଧ ମିଳି ନାହିଁ। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ଏଫଏସଏଲ ଟିମ୍ ପୁଷ୍ପାଞ୍ଜଳିରେ ସେହି ଫାର୍ମ ହାଉସ୍କୁ ମଧ୍ୟ ଯାଇଥିଲା ଯେଉଁଠି ସତୀଶଙ୍କ ଦେହ ଖରାପ ହୋଇଥିଲା। ସେଠାରୁ ଯେଉଁ ସବୁ ଔଷଧ ମିଳିଥିଲା ସେ ସବୁକୁ ଯାଞ୍ଚ ଲାଗି ପଠାଇ ଦିଆଯାଇଛି।

ତେବେ ମିଳିଥିବା ଔଷଧ ପ୍ରତିବନ୍ଧିତ ନଥିଲା। ଏହି ଔଷଧଗୁଡିକରେ ଡାଇଜିନ, ଗ୍ୟାସ୍ ଔଷଧ ଓ ସୁଗର ଔଷଧ ଥିଲା। ହେଲେ ପୋଲିସ ଏହି ଔଷଧ ଓ ସତୀଶ କୌଶିକଙ୍କ ମୃତ୍ୟୁ ସହ ସିଧା ସମ୍ବଦ୍ଧ ପୋଲିସ ଖୋଜି ପାଇ ନାହିଁ। ହୋଲି ଦିନ ସତୀଶ କୌଶିକ ସାଙ୍ଗସାଥୀଙ୍କ ସହ ହୋଲି ପାଳନ କରିଥିଲେ ଓ ରାତି ପ୍ରାୟ ୯ଟା ବେଳକୁ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ୧୨ ଟା ବେଳକୁ ତାଙ୍କ ଦେହ ଖରାପ ହେବାରୁ ମ୍ୟାନେଜରଙ୍କୁ ଡକାଇ ନିଶ୍ୱାସ ନେବାକୁ ଅସୁବିଧା ହେଉଥିବା କହିଥିଲେ। ମ୍ୟାନେଜର ତାଙ୍କୁ ଗୁରୁଗ୍ରାମ ଫର୍ଟିସ ହସ୍ପିଟାଲ ନେଇ ଯାଇଥିଲେ। ଯେଉଁଠାରେ ତାଙ୍କୁ ସିପିଆର ଦିଆଯାଇଥିଲା। ରାତି ପ୍ରାୟ ଗୋଟେ ୪୩ ମିନିଟ୍ରେ ତାଙ୍କର ପରଲୋକ ହୋଇଥିଲା।