ଅରୁଣାଚଳ ତାଓ୍ବାଙ୍ଗରେ ଭାରତ-ଚୀନ୍ ସେନା ମଧ୍ୟରେ ସଂଘର୍ଷ, ସାମ୍ନାକୁ ଆସିଲା ସାଟେଲାଇଟ୍ ଚିତ୍ର, ସୀମାରେ ଗାଁ ବସାଇଛି ଡ୍ରାଗନ୍

Published By : Prameya-News7 Bureau | December 13, 2022 IST

ଇଟାନଗର: ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷର ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି । ତାଓ୍ବାଙ୍ଗ ସୀମା ନିକଟରେ ଚୀନ୍ ବସାଇଥିବା ଗାଁର ଫଟୋ ଦେଖିବାକୁ ମିଳିଛି । ପିଏଲଏ ଯୋଜନାବଦ୍ଧ ଭାବେ ଏଠାରେ ବିବାଦ ସୃଷ୍ଟି କରିଥିଲା । ଚୀନ ସୈନ୍ୟ ୟାଙ୍ଗସ୍ତ ଇଲାକରେ ଭାରତୀୟ ପୋଷ୍ଟକୁ ହଟାଇବାକୁ ଆକ୍ରମଣ କରିଥିଲେ । ଯୋଜନାକୁ ପଣ୍ଡ କରିଦେଇଛି ଭାରତୀୟ ସେନା ।

ସୂଚନା ଅନୁଯାୟୀ, ଡିସେମ୍ବର ୯ ତାରିଖ ଦିନ ଏହି ଘଟଣା ଘଟିଛି । ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ହଠାତ୍ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ ଚୀନ ସୈନ୍ୟ । ଯାହାର ସାଟେଲାଇଟ୍ ଫଟୋ ସାମ୍ନାକୁ ଆସିଛି । ଉଭୟ ସେନା ମଧ୍ୟରେ ସଂଘର୍ଷର ଫଟୋ ମଧ୍ଯ ଦେଖିବାକୁ ମିଳିଛି । ସେହିପରି ତଓ୍ବାଙ୍ଗ ସୀମାକୁ ଲାଗି ଚୀନ୍ ଏକ ଗାଁ ବସାଇଥିବା ସାଟେଲାଇଟ୍ ଚିତ୍ରରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଯାତାୟତ ସୁବିଧା ପାଇଁ ପିଏଲଏ ରାସ୍ତା ମଧ୍ୟ ନିର୍ମାଣ କରିଛି ।

ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଭାରତୀୟ ସେନାର ପୋଷ୍ଟକୁ ହଟାଇବାକୁ ୧୫ ଦିନ ପୂର୍ବରୁ ଯୋଜନା କରିଥିଲା ଚୀନ୍ । ରଣନୀତି ଅନୁଯାୟୀ, ସୋମବାର ଚୀନ୍ ଯବାନମାନେ ୧୭ ହଜାର ଫୁଟ୍ ପାହାଡ଼ ଉପରକୁ ଚଢି ଭାରତୀୟ ପୋଷ୍ଟ ଆଡ଼କୁ ବଢିଥିଲେ । ପରେ ପ୍ଲାନ୍ କରି ୩୦୦ରୁ ଅଧିକ ସୈନ୍ୟ ଭାରତୀୟ ଯବାନଙ୍କ ଉପରେ କଣ୍ଟା ଲାଠିରେ ଅତର୍କିତ ଆକ୍ରମଣ କରିଥିଲେ । ତୁରନ୍ତ ଭାରତୀୟ ଯବାନ ମୋର୍ଚ୍ଚା ସମ୍ଭାଳି ପିଏଲଏ ଯୋଜନାକୁ ପଣ୍ଡ କରିଥିଲେ ।  ଯବାନଙ୍କ ପାଲଟା ଆକ୍ରମଣରେ ପଛ ଘୁଞ୍ଚା ଦେଇଥିଲା ପିଏଲଏ । ସଂଘର୍ଷରେ ଉଭୟ ଦେଶରେ ସୈନ୍ୟ ଆହତ ହୋଇଛନ୍ତି । ଭାରତର ୬ଜଣ ଯବାନଙ୍କୁ ଚିକିତ୍ସା ପାଇଁ ଗୌହାଟି ନିଆଯାଇଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.