ଚନ୍ଦ୍ରାୟନ-୩ ମିସନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ; ଏଥର ସଫଳ ଲ୍ୟାଣ୍ଡିଂ ପାଇଁ ଉଦ୍ୟମ କରିବ ଇସ୍ରୋ

Published By : Prameya-News7 Bureau | January 05, 2023 IST

ନୂଆଦିଲ୍ଲୀ: ପୁଣିଥରେ ଜହ୍ନ ରାଇଜର ସ୍ୱପ୍ନକୁ ବାସ୍ତବ କରିବା ଅଭିମୁଖେ ଭାରତ। ପୁଣିଥରେ ହେବ ମିସନ ଚଦ୍ରାୟନ। ଚନ୍ଦ୍ରାୟନ-୩ ମିସନ ପାଇଁ ସବୁକିଛି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମୁଖ୍ୟ ଏସ୍‌. ସୋମନାଥନ। ୧୦୮ ତମ ଭାରତୀୟ ବିଜ୍ଞାନ କଂଗ୍ରେସରେ ପ୍ରତିକ୍ରିୟା ଦେଇ ସୋମନାଥନ ଏହି ସୂଚନା ଦେଇଛନ୍ତି।   

ଚନ୍ଦ୍ରାୟନ-୨ ମିସନ ଫେଲ୍‌ ମାରିବା ପରେ ଚନ୍ଦ୍ରାୟନ-୩ ମିସନ ଆରମ୍ଭ ହୋଇଥିଲା। ଏହା ଜୁନ ମାସରେ ଲଞ୍ଚ ହୋଇପାରେ। ଚନ୍ଦ୍ରାୟନ-୩ ମିସନକୁ ପ୍ରସ୍ତୁତ କରିବା ପାଇଁ ଅନେକ ବାଧା ସୃଷ୍ଟି ହୋଇଥିଲା। ଲକ୍‌ଡାଉନ୍ ଓ କି ଟେଷ୍ଟିଂରେ ସମସ୍ୟା ଯୋଗୁ ମିସନରେ ବିଳମ୍ବ ହୋଇଥିଲା।

୨୦୧୮ରେ ଚନ୍ଦ୍ରାୟନ-୨ ଚନ୍ଦ୍ରପୃଷ୍ଟରେ କ୍ରାସ୍ ଲ୍ୟାଣ୍ଡିଂ କରିଥିଲା। ହେଲେ ଏଥର ଚନ୍ଦ୍ରାୟନ-୩କୁ ସଫଳତା ପୂର୍ବକୁ ଲ୍ୟାଣ୍ଡିଂ କରିବାକୁ ବୈଜ୍ଞାନିକମାନେ ପ୍ରାଣପ୍ରଣେ ଲାଗି ପଡ଼ିଛନ୍ତି। ଚନ୍ଦ୍ରାୟନ-୩କୁ ୨ ଅପେକ୍ଷା ଅଧିକ ଶକ୍ତିଶାଳୀ ସଫ୍ଟୱେୟାର, ବିପଦପ୍ରବଣ ସ୍ଥାନଗୁଡ଼ିକର ଚିହ୍ନଟ ଶକ୍ତି ଆଦି ଖଞ୍ଜାଯାଇଛି। ଯଦି ଏହା ସଫଳ ହେଲା ତେବେ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଏକ ନୂଆ ମାଇଲ୍‌ଖୁଣ୍ଟ ଅତିକ୍ରମ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.